ଫୋନ କଲ୍‍ ମାଧ୍ୟମରେ ଘରେ ପହଞ୍ଚିବ ସଉଦା

ଆଠଗଡ : ସଂପ୍ରତି କରୋନା କାଳରେ ଲୋକେ ଘରୁ ବାହାରିବା ଲାଗି ଡରୁଛନ୍ତି ଏବଂ ସରକାର ମଧ୍ୟ ଅତି ଜରୁରୀ ଆବଶ୍ୟକତା ନଥିଲେ ପଦାକୁ ବାହାରିବାକୁ ବାରଣ କରିଛନ୍ତି। ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପାଇଁ ବାହାରକୁ ତ ଯିବାକୁ ପଡିବ। ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଛି ଆଠଗଡ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀ ସଚ୍ଚିଦାନନ୍ଦ ସ୍ୱୟଂ ସହାୟକ ଗୋଷ୍ଠୀ। ଲୋକଙ୍କ ଫୋନ କଲ ମାଧ୍ୟମରେ ଅର୍ଡର ପାଇବା ପରେ ବଜାର ଦରରେ ସଉଦା ନେଇ ସେମାନଙ୍କ ଘରେ ପହଞ୍ଚାଇ ଦେବାର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଅଭିନବ ଯୋଜନାର ଶୁଭାରମ୍ଭ ସୋମବାର ଶ୍ରୀ ସଚ୍ଚିଦାନନ୍ଦ ସହାୟକ ଗୋଷ୍ଠୀର ଅଶୋକ ନଗରସ୍ଥିତ କାର୍ଯ୍ୟାଳୟରେ କରାଯାଇଛି। ଗୋଷ୍ଠୀର ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅଭିନବ ଯୋଜନା ଦ୍ୱାରା ଆଠଗଡବାସୀ ବିଶେଷ କରି ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ ବୋଲ ସୁଶ୍ରୀ ଲେଙ୍କା ଆଶାବ୍ୟକ୍ତ କରିଥିଲେ। ଗୋଷ୍ଠୀର ସମସ୍ତ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.