ଆଠଗଡ ସମବାୟ ବିଭାଗରେ ମହାଦୁର୍ନୀତି ଅଭିଯୋଗ

ଅଭୟ ବାରିକଙ୍କ ସାମ୍ବାଦିକ ସମ୍ମିଳନୀ

ଆଠଗଡ : ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସମବାୟ ବିଭାଗ ତଥା ସେବା ସମବାୟ ସମିତିଗୁଡିକରେ ମହାଦୁର୍ନୀତି ହୋଇଥିବା ଯୁବ ସଂଗଠକ ଅଭୟ କୁମାର ବାରିକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାର କୃଷକର ଆର୍ଥିକ ମାନଦଣ୍ଡ ମଜବୁତ କରିବା ଲାଗି ବହୁ ପଦକ୍ଷେପ ନେଉଥିବାବେଳେ ରାଜ୍ୟର ଖୋଦ୍‍ ସମବାୟ ମନ୍ତ୍ରୀଙ୍କ ବାହୁଛାୟା ତଳେ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଗତ ୧୦ ବର୍ଷରୁ ଉର୍ଦ୍ଧ ସମୟ ହେଲା ସେବା ସମବାୟ ସମିତି ଗୁଡିକ ମାଧ୍ୟମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଫଳରେ ଆଠଗଡ ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ବିକାଶ ହେବା ପରିବର୍ତ୍ତେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଆଇନ ଅନୁଯାୟୀ ପ୍ରତି ତିନି ବର୍ଷରେ କୃଷି ଋଣ ସୀମା ସଂପୃକ୍ତ ଚାଷୀଙ୍କର ଜମିଜମାର ପରିମାଣ ଅନୁଯାୟୀ ନିର୍ଦ୍ଧାରଣ ହେବା କଥା। କିନ୍ତୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ ଶାଖା ଅଧିନରେ ଥିବା ୨୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ପ୍ରାୟ ସମସ୍ତ ସେବା ସମବାୟ ସମିତିରେ ରାଜନୈତିକ କର୍ମୀମାନଙ୍କୁ କର୍ମଚାରୀ ଓ ସଭାପତି ଭାବେ ଥଇଥାନ କରାଯାଇ ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ଅଗୋଚରରେ ତାଙ୍କ ନାମରେ ଋଣ ଉଠାଇ ଆତ୍ମସାତ କରିଚାଲୁଥିବା ବେଳେ ଏହାର କୌଣସି ତଦନ୍ତ ହେଉନାହିଁ ବା ତଦନ୍ତ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଦୁର୍ନୀତିରେ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ, ଏଆରସିଏସ୍‍, ଡିଆରସିଏସ୍‍ ଓ ପ୍ରଭାବଶାଳୀ ନେତା ସଂପୃକ୍ତ ଥିବାରୁ ଦୁର୍ନୀତିର ତଦନ୍ତ ହେଉନାହିଁ ବୋଲି ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଋଣ ମଞ୍ଜୁର ପରେ ଚାଷୀମାନେ ନିଜେ ଯାଇ ବ୍ୟାଙ୍କରୁ କିଶାନ କ୍ରେଡିଟ କାର୍ଡ ଓ ଚେକ୍‍ ଜରିଆରେ ଟଙ୍କା ଉଠାଣ କରିବା କଥା। ହେଲେ ଆଠଗଡର ପ୍ରାୟ ସମସ୍ତ ୨୬ଟି ସେବା ସମବାୟ ସମିତିରେ କାର୍ଯ୍ୟରତ ସଭାପତି ଓ ସଂପାଦକମାନେ ଚାଷୀମାନଙ୍କର ପାସବହି, ଚେକ୍‍ବହି ବେଆଇନ ଭାବେ ନିଜ ପାଖରେ ରଖି ଋଣ ମଞ୍ଜୁର ଓ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଚାଷୀଙ୍କ ଅର୍ଥ ଆତ୍ମସାତ କରିଥାନ୍ତି ବୋଲି ଶ୍ରୀ ବାରିକ ଗୁରୁତର ଅଭିଯୋଗ କରିଥିଲେ। ପୂର୍ବରୁ ଗୁରୁଡିଝାଟିଆ ଓ ଅନ୍ୟ ଅଞ୍ଚଳର କେତେକ ସେବା ସମବାୟ ସମିତିରେ ଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡିଥିଲେ ମଧ୍ୟ କେବଳ କିଛି କର୍ମଚାରୀଙ୍କୁ ନିଲମ୍ବନ କରି ସମବାୟ ବିଭାଗ ଚୁପ ବସି ରହିଛି। ନିକଟରେ ସମବାୟ ଦୁର୍ନୀତି ସଂପର୍କରେ ଗୁରୁଡିଝାଟିଆ ଅଞ୍ଚଳର ୪ଜଣ ଚାଷୀ ଚୌଦ୍ୱାର ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ସେ ସୂଚନା ଦେଇଥିଲେ। ଏବେ ଯଦି ଆଠଗଡର ୨୬ଟି ଯାକ ସେବା ସମବାୟ ସମିତି ଏବଂ କଟକ କେନ୍ଦ୍ର ସମବାୟ ସମିତିର ଆଠଗଡ ଶାଖାରେ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତେବେ ବିଗତ ୧୦ବର୍ଷ ମଧ୍ୟରେ ଯେତିକି ଚାଷୀଙ୍କ ନାମରେ ଯେତେ ପରିମାଣର ଋଣ ମଞ୍ଜୁର କରାଯାଇଛି ତାର ୫୦ପ୍ରତିଶତରୁ ଅଧିକ ଆତ୍ମସାତ କରାଯାଇଥିବା ଧରାପଡିବ ବୋଲି ଶ୍ରୀ ବାରିକ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ଏହା କହିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଯଦି ଆଠଗଡ ବ୍ଲକରେ ହୋଇଥିବା ସମବାୟ ଦୁର୍ନୀତିର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଦକ୍ଷେପ ନେବାପାଇଁ ଦାବୀ କରିଥିଲେ। ନଚେତ୍‍ ଆଠଗଡର ଚାଷୀମାନଙ୍କୁ ନେଇ ଶ୍ରୀ ବାରିକ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଦେଖାକରି ଅଭିଯୋଗ କରିବା ସହିତ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଆଠଗଡ କିଶାନ ସଂଘ ସଭାପତି ଅମରେନ୍ଦ୍ର ରାଉତ, କୃଷକ ନେତା ପ୍ରେମାନନ୍ଦ ପରିଡା, ପ୍ରତିଭା ରାଉତ, ନରେନ୍ଦ୍ର ସେଠୀ, ଟୁକୁ ସାମଲ, ଯୁବନେତା ସରୋଜ କୁମାର ଦାସଙ୍କ ସମେତ ଏକ ପ୍ରତିନିଧି ଦଳ ସହିତ ଶ୍ରୀ ବାରିକ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପରମିତା ପୃଷ୍ଟିଙ୍କ ଜରିଆରେ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.