ଆଠଗଡ ସହରରେ ସପ୍ତାହନ୍ତ ସଟ୍‍ଡାଉନ, ରାସ୍ତାଘାଟ ଶୂନଶାନ

ଆଠଗଡ: ସପ୍ତାହନ୍ତ ସଟ୍‍ଡାଉନ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଲାଗୁ ହୋଇଥିବାରୁ ସହରର ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ରାସ୍ତାଘାଟ ଶୂନଶାନ ରହିଥିବା ଦେଖିବାକୁ ମିଳିଥିଲା। କେବଳ ଔଷଧ ଓ ଚଷମା ଦୋକାନ, ରନ୍ଧନ ଗ୍ୟାସ ବିତରଣ ପ୍ରତିଷ୍ଠାନ ଖୋଲା ରହିଥିବା ବେଳେ ଜରୁରୀକାଳୀନ ସେବା ଯୋଗାଣକାରୀ ବିଭାଗୀୟ କର୍ମଚାରୀ ଚଳପ୍ରଚଳ କରୁଥିବା ଜଣାପଡିଛି। ଯେହେତୁ ଗ୍ରାମାଞ୍ଚଳରେ ଏହି ସଟ୍‍ଡାଉନ ଲାଗୁ ହୋଇନାହିଁ, ତେଣୁ ଆଠଗଡ ସହର ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦୋକାନ ବଜାର ଖୋଲା ରହିଥିବାରୁ ସେ ସବୁ ସ୍ଥାନରେ ଜନଗହଳି ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ୍‍ ସେବା ବନ୍ଦ ରହିଥିବାବେଳେ ମାଲ ପରିବହନ କରୁଥିବା ଯାନବାହାନ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କର ୨ଚକିଆ ଯାନ ଆଦି ଚଳାଚଳ କରୁଥିବା ଦେଖାଯାଇଥିଲା।

ଶନିବାର ସକାଳେ ତହସିଲଦାର ତପନ କୁମାର ଖୁଣ୍ଟିଆ ଏବଂ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଆଠଗଡ ସହରାଞ୍ଚଳ ବୁଲାବୁଲି କରି ସଟ୍‍ଡାଉନ ଠିକ୍‍ ଭାବରେ ହୋଇଛି ନା ନାହିଁ ତଦାରଖ କରିଥିଲେ। ଚାନ୍ଦବାଲିଛକଠାରେ ତହସିଲଦାର, ଆଇଆଇସି ଓ ଅନ୍ୟ ପୁଲିସ ଅଧିକାରୀ ଚଳାଚଳ କରୁଥିବା ଯାନବାହାନକୁ ଅଟକାଇ ଯାଞ୍ଚ କରି ଛାଡିଥିଲେ। ସନ୍ଧ୍ୟାପରେ କେତେକ ଅମାନିଆ ଯୁବକ ବାଇକରେ ସହରରେ ବୁଲାବୁଲି କରୁଥିବାବେଳେ ଅନ୍ୟ କେତେକ ସ୍ଥାନରେ ନିଶାଶକ୍ତ ଯୁବକ ଏକାଠି ବସି ନିଶା ସେବନ କରୁଥିବା ଜଣାପଡିଛି। ଆସନ୍ତାକାଲି ରବିବାର ମଧ୍ୟ ଏହି ସପ୍ତାହନ୍ତ ସଟ୍‍ଡାଉନ ଜାରି ରହିବ ଏବଂ ସୋମବାର ଠାରୁ ଶୁକ୍ରବାର ପୂର୍ବପରି ରାତ୍ରିକାଳୀନ ସାନ୍ଧ୍ୟ ଆଇନ ବଳବତ୍ତର ରହିବ।

Comments are closed.