ସ୍କୁଲ ଖେଳପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବି

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ହାଇସ୍କୁଲ ଖେଳପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବି କରି କୁଲାଇଲୋର କ୍ରୀଡାବିତ୍‍ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁଲାଇଲୋର ଅନନ୍ତ ଦଳାଇ ସ୍ମୃତି ବିଦ୍ୟାପୀଠର ଖେଳପଡ଼ିଆରେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ସହିତ ନିୟମିତ ସେଠାରେ ସ୍କୁଲପିଲା ଏବଂ କୁଲାଇଲୋ ଅଞ୍ଚଳର ଯୁବ କ୍ରୀଡାବିତ୍‍ମାନେ ଖେଳିଥାନ୍ତି। ତେବେ ଉକ୍ତ ପଡ଼ିଆର କିଛି ଅଂଶ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇଥିବାରୁ ପଡ଼ିଆଟି ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ତା ଛଡା ଶିକ୍ଷକଙ୍କ ଆବାସ ପାଇଁ ୧୬ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ଖେଳପଡ଼ିଆ ର ଖେଳୁଥିବା ସ୍ଥାନକୁ ଛାଡି ଅଧିକ ଜାଗା ରହିଥିଲେ ବି ଖେଳପଡ଼ିଆ ମଧ୍ୟରେ ନୂତନ ଆବାସ ନିର୍ମାଣକୁ ସେମାନେ ବିରୋଧ କରିଛନ୍ତି। ଜବରଦଖଲ ହୋଇଥିବା ଜାଗାକୁ ଉଚ୍ଛେଦକରି ସେହିଠାରେ ଶିକ୍ଷକଙ୍କ ପାଇଁ ନୂତନ ଆବାସ ନିର୍ମାଣ କରିବାକୁ ସେମାନେ ଦାବି କରିଥିଲେ। ସୋମବାର ଗ୍ରାମବାସୀଙ୍କ ପକ୍ଷରୁ ଏବଂ ମଙ୍ଗଳବାର କ୍ରୀଡାବିତ୍‍ଙ୍କ ପକ୍ଷରୁ ପୃଥକ ଭାବେ ୨ଟି ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦାବିପତ୍ର ପାଇବା ପରେ ପୃଥକ ଖେଳପଡ଼ିଆ ଜାଗା ସଂପର୍କରେ ତଦନ୍ତ କରିବା ସହ ମାପଚୁପ କରିବାକୁ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Comments are closed.