୩ଟି ଗ୍ରାମ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ସଂକ୍ରମଣ ହାର ଆଖିଦୃଷ୍ଟିଆ ଭାବେ ହ୍ରାସ ପାଉନାହିଁ। ପ୍ରତିଦିନ ଯେତିକି କୋଭିଡ ପରୀକ୍ଷା ହେଉଛି ସେଥିରୁ ୧୫ରୁ ୨୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କଣ୍ଡରେଇ ପଞ୍ଚାୟତର ମହାଲକ୍ଷ୍ମୀପୁରରେ ୮ଜଣ, ନୃସିଂହପୁରରେ ୬ଜଣ ଓ ଜେନାପଦା ପଞ୍ଚାୟତର ଜେନାପଦାଦେଶରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ୩ଟି ଗ୍ରାମକୁ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ବ୍ଲକ କର୍ତ୍ତୃପକ୍ଷ ଓ ସଂପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ଜୁଲାଇ ୨୨ତାରିଖ ସକାଳ ୬ଟାରୁ ୩୧ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୩ଟି ଯାକ ଗ୍ରାମକୁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଗ୍ରାମ ଗୁଡିକର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡ ଦ୍ୱାରା ଆବଦ୍ଧ କରାଯାଇଥିବାବେଳେ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କର କୋଭିଡ ପରୀକ୍ଷା କରାଇବା ଲାଗି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.