ଅଟ୍ଟାଳି ଜଗନ୍ନାଥଙ୍କ ହେରାପଞ୍ଚମୀ ନୀତି ସଂପନ୍ନ

ଆଠଗଡ: କୋଭିଡ କଟକଣା ମଧ୍ୟରେ ରଥ ଓ ଭକ୍ତଙ୍କ ଅନୁପସ୍ଥିତିରେ ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ଶ୍ରୀଗୁଣ୍ଟିଚା ଯାତ୍ରା କେବଳ ପରମ୍ପରା ବଜାୟ ରଖିବା ପାଇଁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମନ୍ଦିର ପରିସରରେ ଶ୍ରୀ ଜୀଉଙ୍କର ପବିତ୍ର ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଭାଇଭଉଣୀଙ୍କ ସହ ଶ୍ରୀ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ଯାଇଥିବାରୁ ଅଭିମାନ ଓ କ୍ରୋଧ ଜର୍ଜରିତ ମା’ ଲକ୍ଷ୍ମୀ ଏକ ସୁସଜ୍ଜିତ ବିମାନରେ ଜନ୍ମବେଦୀ ନିକଟକୁ ଆସିଥିଲେ। ସେଠାରେ ଲକ୍ଷ୍ମୀନାରାୟଣ ଭେଟ ହେବା ପରେ କ୍ରୋଧ ଓ ଅଭିମାନ ଜର୍ଜରିତ ମହାଲକ୍ଷ୍ମୀ ଫେରିବା ବାଟରେ ରଥଭଙ୍ଗା ନୀତି ସଂପନ୍ନ ହୋଇଥିଲା।

ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ହେରାପଞ୍ଚମୀ ଲାଗି ସ୍ୱତନ୍ତ୍ର ନୀତିକାନ୍ତି ସଂପନ୍ନ କରିଥିଲେ। ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ସେବାୟତ ହେରାପଞ୍ଚମୀର ନୀତିକାନ୍ତି ସଂପନ୍ନ କରିବାରେ ସହଯୋଗ କରିଥିଲେ। ଆଠଗଡ ପୁଲିସ ପକ୍ଷରୁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରକୁ ଯିବାକୁ ବାରଣ କରାଯାଇଥିଲା।

Comments are closed.