ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆଠଗଡ: ସଂପ୍ରତି କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଭୁଷୁଡି ପଡିଥିବା ବେଳେ କେନ୍ଦ୍ର ଓ ରାଜ୍ୟସରକାର କ୍ରମାଗତ ଭାବେ ତୈଳଦର ବୃଦ୍ଧି କରି ଦେଶର ଅଗଣିତ ଗରିବଙ୍କ ପେଟରେ ଲାତ ମାରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପ୍ରକାଶ କରିଛନ୍ତି। ଆଠଗଡ କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଶ୍ରୀ ରଥଙ୍କ ନେତୃତ୍ୱରେ ଏକ ସାଇକଲ ଶୋଭାଯାତ୍ରାରେ ଯାଇ ରାଧାଗୋବିନ୍ଦପୁର ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତୈଳର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସମସ୍ତ ଅତ୍ୟାବଶ୍ୟକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁଁ ଦେଶର କୋଟି କୋଟି ଜନତା ଏବେ ଆର୍ଥିକ ଅନାଟନ ଭିତରେ କାଳାତି ପାତ କରୁଛନ୍ତି। ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କାରୁ ଉର୍ଦ୍ଦ ହୋଇଥିବାବେଳେ ସେଥିରୁ କେନ୍ଦ୍ର ଓ ରାଜ୍ୟ ସରକାର ୬୦ଟଙ୍କା କେବଳ ଟିକସ ଆକାରରେ ଆଦାୟ କରୁଛନ୍ତି।

କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଓ ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ଗରିବଙ୍କ ଦୁଃଖ ବୁଝିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବିରୋଧି ବୋଲି ପୂର୍ବତନ ବିଧାୟକ ଶ୍ରୀ ରଥ ଅଭିଯୋଗ କରିଥିଲେ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ତୈଳ ଓ ରନ୍ଧନ ଗ୍ୟାସ ଦର ସମେତ ସମସ୍ତ ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରହ୍ରାସ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ରଥ ଦାବି କରିଥିଲେ। ଏହି ସାଇକେଲ ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ମଙ୍ଗୁଳି ଚରଣ ପାଣି, ସୁଦର୍ଶନ ସାହୁ, ପ୍ରଫୁଲ୍ଲ ସାହୁ, ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ଅଶୋକ ପ୍ରଧାନ, ଅଭୟ ସାହୁ, ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ।

Comments are closed.