ଜିମୁତ ମଙ୍ଗରାଜଙ୍କ ବିୟୋଗରେ ସାମ୍ବାଦିକଙ୍କ ଶୋକ

ଆଠଗଡ: ବରିଷ୍ଠ ସାମ୍ବାଦିକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି, ସାହିତ୍ୟିକ ଓ ସ୍ତମ୍ବକାର ଡଃ ଜିମୁତ ମଙ୍ଗରାଜଙ୍କର ପରଲୋକରେ ଆଠଗଡର ଉପଖଣ୍ଡ ସାମ୍ବାଦିକ ସଂଘ ଓ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଏହି ଦୁଇ ସଂଘର ମିଳିତ ଆନୁକୁଲ୍ୟରେ ବୀରକିଶୋରପୁରସ୍ଥିତ ସିଦ୍ଧେଶ୍ବର ମହାଦେବ ମନ୍ଦିରରେ ଗୁରୁବାର ସକାଳେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥିଭାବେ ଦୈନିକ କାଳାନ୍ତର ସଂପାଦକ ସୌମ୍ୟକାନ୍ତ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ସମାଲୋଚକ ଡଃ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ୱାର୍ଲଡ୍‍ ୱାଚ୍‍ର ସଂପାଦକ ଦିଲ୍ଲୀପ ଦାସ ଓ କଟକ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ସୁଜିତ ପଟ୍ଟନାୟକ ଯୋଗଦେଇ ଡଃ ଜିମୁତ ମଙ୍ଗରାଜଙ୍କର ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରିଥିଲେ।

ସ୍ୱର୍ଗତ ମଙ୍ଗରାଜଙ୍କ ଅମର ଆତ୍ମାର ଶାନ୍ତି ଓ ସଦ୍‍ଗତି କାମନା କରି ଉପସ୍ଥିତ ସମସ୍ତ ସାମ୍ବାଦିକ ୨ମିନିଟ୍‍ ନୀରବ ପ୍ରାର୍ଥନା କରିଥିଲେ। କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ଶେଷରେ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସଂପାଦକ ସନ୍ତୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.