ବ୍ୟାଙ୍କ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଆଠଗଡ: ବ୍ୟାଙ୍କ ଦିବସ ଓ ବିଶ୍ୱ ଚିକିତ୍ସକ ଦିବସ ଅବସରରେ ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପକ୍ଷରୁ ସମର୍ପିତ ସେବାରେ ନିୟୋଜିତ ୬ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶାଖା ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଦାସ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କରୋନା ମହାମାରୀର ସଂକଟଜନକସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ସେବାରେ ସମର୍ପିତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀ ବାସ୍ତବରେ ଧନ୍ୟବାଦର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବ୍ରହ୍ମପୁର ସିଏଚସିରେ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ, ଜିମସାର କୋଭିଡ ଚିକିତ୍ସାଳୟର ନୋଡାଲ ଅଫିସର ଡାକ୍ତର ଶୁଭାଶିଷ ଦାଶ, ଆୟୁଶ ଡାକ୍ତର ଦୀପକ ରାଜ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍, ସେବିକା ଶୁଭଦର୍ଶିନୀ ସାହୁ ଓ ଆଠଗଡ ଉପଖଣ୍ଡ ଡାକ୍ତରଖାନାର କୋଭିଡ ପରୀକ୍ଷା ଦାୟିତ୍ୱରେ ଥିବା ଲାବୋରେଟୋରୀ ଟେକ୍ନିସିଆନ ସୁକାନ୍ତ ସେଠୀ ପ୍ରମୁଖଙ୍କୁ ବ୍ୟାଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟାଙ୍କର ଶାଖା ଉପପ୍ରବନ୍ଧକ ଶୁଶାନ୍ତ କୁମାର ସାହୁ, ଅନ୍ୟତମ ଉପପ୍ରବନ୍ଧକ ଅମୀୟ କୁମାର ମହାନ୍ତିଙ୍କ ସମେତ ବ୍ୟାଙ୍କର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.