ରାଧାଗୋବିନ୍ଦପୁର ପଞ୍ଚାୟତରେ କରୋନା ସ୍ଥିତ ସାଙ୍ଘାତିକ

ଆଠଗଡ: ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଏବେ କରୋନା ହଟସ୍ପଟ ଭାବେ ପରିଗଣିତ ହେଲାଣି। ଗତ ଏକ ସପ୍ତାହ ମଧ୍ୟରେ ଏହି ପଞ୍ଚାୟତରୁ ମୋଟ ୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଏପ୍ରିଲରୁ ଅଦ୍ୟାବଧି ୩ମାସ ମଧ୍ୟରେ ଉକ୍ତ ପଞ୍ଚାୟତରେ ୧୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୮ଜଣଙ୍କୁ କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ପଞ୍ଚାୟତର ଜଣେ ଯୁବକ ଜିମସାରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛି। ଏହି ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୨୪ଜଣ, ତା ନିକଟବର୍ତ୍ତୀ ରାଧାକେଶବପୁର ଗ୍ରାମରେ ୧୯ଜଣ ଚିହ୍ନଟ ହୋଇଥିବାବେଳେ ରାଧାଗୋବିନ୍ଦପୁର ଗ୍ରାମରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଧାଗୋବିନ୍ଦପୁର ପଞ୍ଚାୟତ ବିଶେଷକରି ଲକ୍ଷ୍ମୀନାରାୟଣପୁର ଓ ରାଧାକେଶବପୁର ଗ୍ରାମରେ କରୋନା ସଂକ୍ରମଣ କାହିଁକି ବଢୁଛି ତାର ତର୍ଜମା କରିବା ଲାଗି ଜିଲ୍ଲାସ୍ତରୀୟ ଏକ ପ୍ରତିନିଧି ଦଳ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବେହେରା ଓ ଡାକ୍ତର ସୁଜାତା ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ଗସ୍ତକରି କାରଣ ସଂପର୍କରେ ତର୍ଜମା କରିଥିଲେ। ମେଘା ସ୍ୱାସ୍ଥ୍ୟ ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂପୃକ୍ତ ଜିଲ୍ଲାସ୍ତରୀୟ ଦଳ ସହିତ ସଂପୃକ୍ତ ଦୁଇ ଗ୍ରାମକୁ ଯାଇ ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇବା ସହ ଘରକୁ ଘର ସର୍ବେକ୍ଷଣ ଏବଂ ଲୋକଙ୍କୁ ମହାମାରୀ ସଂପର୍କରେ କିପରି ସଚେତନ କରାଯାଉଛି ସେ ସଂପର୍କରେ ବିସ୍ତୃତ ବିବରଣୀର ଦେଇଥିଲେ। ଜିଲ୍ଲାସ୍ତରୀୟ ଦଳ ଶ୍ରୀ ଅସଲମଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଂଶସା କରିବା ସହ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରି ସେମାନଙ୍କୁ ଦେଇଥିଲେ। ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍‍ଲମ୍‍ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ୨୨ତାରିଖରେ ୬ଜଣ ୨୮ରେ ୩୪ଜଣ ଓ ୨୯ତାରିଖରେ ୧୧ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମାଧବପୁରସ୍ଥିତ ଜିମସାରକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ରାଧାଗୋବିନ୍ଦପୁର ପଞ୍ଚାୟତ ସମେତ ଏହି ବ୍ଲକର ଦୋରଡ, କୁଶପଙ୍ଗି ପଞ୍ଚାୟତ ମଧ୍ୟ କରୋନା ହଟସ୍ପଟ ପାଲଟିଲାଣି। ଆଠଗଡ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଲାବନ୍ଦ ଓ ସପ୍ତାହନ୍ତ ସଟଡାଉନକୁ କଡାକଡି କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।

Comments are closed.