ବିଦ୍ୟୁତ୍‍ ସମସ୍ୟାରେ ଅତିଷ୍ଠ ଆଠଗଡବାସୀ

ଆଠଗଡ: ଆଠଗଡରେ ଦୀର୍ଘ ବର୍ଷ ବର୍ଷ ଧରି ବିଦ୍ୟୁତ୍‍ ସମସ୍ୟା ଲୋକଙ୍କୁ ଅତିଷ୍ଠ କରୁଥିଲେ ମଧ୍ୟ ଏହି ମୌଳିକ ସମସ୍ୟା ସମାଧନ ଦିଗରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀ ଏହି ସମସ୍ୟାର ସମାଧାନ ଦିଗରେ ଆଦୌ ଆନ୍ତରିକତା ପ୍ରଦର୍ଶନ କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ନୂଆପାଟଣାସ୍ଥିତ ଏକମାତ୍ର ୧୩୨ କେଭି ବିଦ୍ୟୁତ୍‍ ଗ୍ରୀଡରୁ ୨୫ କିମି ଦୂର ଆଠଗଡକୁ ଆସିଥିବା ୩୩କେଭି ଲାଇନରେ ପ୍ରାୟ ସବୁବେଳେ ବିଭ୍ରାଟ ଦେଖାଦେଉଛି। ଗତ ୩୧ବର୍ଷ ମଧ୍ୟରେ ଆଠଗଡକୁ ନୂଆପାଟଣା ଲାଇନକୁ ଛାଡି ଅନ୍ୟ ଏକ ବିକଳ୍ପ ଲାଇନ ସଂଯୋଗ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଭୋଟବ୍ୟାଙ୍କ ରାଜନୀତିରେ ରୁଚି ରଖୁଥିବା ସ୍ଥାନୀୟ ବିଧାୟକ ଏହି ସାମୂହିକ ଦାବି ପ୍ରତି ଉଦାସୀନତା ପ୍ରଦର୍ଶନ କରିଆସିଛନ୍ତି।

ସାମାନ୍ୟ ବର୍ଷା, ପବନ ଓ ଘଡଘଡି ମାରିଲେ ଅତିକମ୍‍ରେ ୬-୧୨ ଘଣ୍ଟା ଆଠଗଡ ଅଞ୍ଚଳର ଦେଢଲକ୍ଷରୁ ଉର୍ଦ୍ଧ ଲୋକ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥାନ୍ତି। ଏହାଛଡା କୌଣସି ବର୍ଷା, ପବନ, ଘଡଘଡି ନଥିବା ବେଳେ ମଧ୍ୟ ଦିନକୁ ଅତି କମ୍‍ରେ ୨୦ଥରରୁ ଉର୍ଦ୍ଧ ବିଦ୍ୟୁତ୍‍ ସରୋବରାହ ବ୍ୟାହତ ହୋଉଛି। କାରଣ ପଚାରିଲେ ବିଦ୍ୟୁତ୍‍ ବିଭାଗୀୟ ଯନ୍ତ୍ରୀ ଆଠଗଡର ଏକମାତ୍ର ସବ୍‍ଷ୍ଟେସନ ଉପରେ କ୍ଷମତାଠାରେ ଯଥେଷ୍ଟ ଅଧିକ ଭାର ପଡୁଥିବାରୁ ଏପରି ସମସ୍ୟା ଦେଖାଯାଉଛି ବୋଲି କହୁଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୨ଟାରେ ବର୍ଷା, ପବନ ଓ ଘଡଘଡି ଯୋଗୁଁ ବିଦ୍ୟୁତ୍‍ ସରୋବରାହ ବ୍ୟାହତ ହୋଇଥିଲା। ମାତ୍ର ଅଧଘଣ୍ଟା ମଧ୍ୟରେ ବର୍ଷା, ପବନ ଓ ଘଡଘଡି ହୋଇ ଛାଡିବା ପରେ ବିଦ୍ୟୁତ୍‍ ଯୋଗାଣ ସ୍ୱଭାବିକ ହୋଇପାରିଲା ନାହିଁ।

ଖୁଣ୍ଟକଟା ଠାରୁ ମାରୁଗୋଠ ମଧ୍ୟରେ କାଜୁ ଜଙ୍ଗଲ ଭିତରେ ଗଛ ଭାଙ୍ଗିବାରୁ ୩୩କେଭି ତାର ଛିଣ୍ଡି ପଡିଥିଲା। ତେବେ ସେଠାରେ ଛିଣ୍ଡିଥିବା ତାର ଯୋଡିବା ପାଇଁ ୪ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିବା ପରେ ସନ୍ଧ୍ୟା ୭ଟା ପରେ ଲାଇନ ଆସିଥିଲା। ଏହିଭଳି ସମସ୍ୟା ଏବେ ଗ୍ରୀଷ୍ମଋତୁର ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ପ୍ରକାଶଯୋଗ୍ୟ ଯେ ଆଠଗଡକୁ ଖୁଣ୍ଟୁଣୀ ନିକଟସ୍ଥ ମଥୁରାପୁର ଗ୍ରୀଡରୁ ଏକ ୩୩କେଭି ଲାଇନ ଟଣା କାର୍ଯ୍ୟ ଘରୋଇ ଠିକା ସଂସ୍ଥା ଗୁପ୍ତା କେବୁଲକୁ ୨ବର୍ଷ ପୂର୍ବରୁ କାର୍ଯ୍ୟାଦେଶ ଦେଇ ୩ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଏହି ୧୨ଦିନ ଲାଇନଟଣା ମଧ୍ୟରେ ମାତ୍ର ଦେଢ କିମି କୌଣସି ଜଣେ ଘରୋଇ ଜମି ମାଲିକ ବିରୋଧ କରିବାରୁ ଟଣାଯାଇ ପାରୁନାହିଁ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସାମାନ୍ୟ ଆଗ୍ରହ ଓ ଆନ୍ତରିକତା ପ୍ରଦର୍ଶନ କଲେ ଏହି ସମସ୍ୟାର ସମାଧାନ ହେବା ସହ ଆଠଗଡକୁ ଏକ ବିକଳ୍ପ ବିଦ୍ୟୁତ୍‍ ସଂଯୋଗ ମିଳି ପାରନ୍ତା। ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡବାସୀଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କର ଦୀର୍ଘଦିନର ବିଦ୍ୟୁତ୍‍ଜନିତ କଷ୍ଟ ଲାଘବ ପାଇଁ ତତ୍କାଳ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

Comments are closed.