ବିଶ୍ୱ ଅଙ୍ଗଦାନ ଦିବସରେ ସଚେତନତା

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୂଲ୍ୟରେ ରାଧାଗୋବିନ୍ଦପୁରଠାରେ ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମ ସଂଯୋଜନା କରି ଅଙ୍ଗଦାନ ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ମୃତ୍ୟୁ ପୂର୍ବରୁ ଏବଂ ମୃତ୍ୟୁର କିଛି କ୍ଷଣ ମଧ୍ୟରେ ଶରୀରର ଅନେକ ଅଙ୍ଗ ଦାନ କରାଯାଇପାରିବ ଏବଂ ତାହା ଦ୍ୱାରା ଅଙ୍ଗ ପାଇଥିବା ଲୋକ ଉପକୃତ ହେବା ସହ ଏକ ସୁନ୍ଦର ପୃଥିବୀକୁ ଉପଭୋଗ କରି ପାରିବେ ବୋଲି ଶ୍ରୀ ଅସଲମ କହିଥିଲେ। ଅଙ୍ଗଦାନ ସଂପର୍କରେ ଲୋକଙ୍କର ବହୁ ଭ୍ରାନ୍ତଧାରଣା ଓ ଅନ୍ଧ ବିଶ୍ୱାସ ରହିଛି। ତାକୁ ଦୂର କରିବା ପାଇଁ ତାକୁ ଦୂର କରିବା ପାଇଁ ଯଥେଷ୍ଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଭାକର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଅଙ୍ଗନବାଡି କର୍ମୀ କାଳିଦେଇ, ସୁନିତା ଦାସ, ଆଶାକର୍ମୀ ବନିତା ରାଉତ, ସଞ୍ଜୁଲତା ରଥ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ ଅଙ୍ଗଦାନ କରିବା ଏବଂ ଏଥିପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଶପଥପାଠ କରିଥିଲେ।

Comments are closed.