ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଆଠଗଡ଼: ଆଠଗଡ଼ ସାପୁଆ ନଦୀରେ ସଡକ ଦୁର୍ଘଟଣାର ଶିକାର ହୋଇ ସାପୁଆ ନଦୀ ଗର୍ଭରେ ପଡ଼ି ନିଖୋଜ ହୋଇଥିବା ଗୋବରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରଘୁନାଥପୁର ଗ୍ରାମର ପବିତ୍ର ମୋହନ ରାଉଳଙ୍କର ମୃତଦେହ ରବିବାର ସକାଳେ ଉଦ୍ଧାର କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଆଠଗଡ଼ ସହର ଉପକଣ୍ଠରେ ଘଟିଥିବା ଏହି ଦୁର୍ଘଟଣାରେ ନିଜ ସ୍କୁଟିରୁ ଛିଟିକି ପଡ଼ି ପବିତ୍ର ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିବା ସାପୁଆ ନଦୀରେ ପଡ଼ି ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ଧରି ଆଠଗଡ଼ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦଳ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶନିବାର ସନ୍ଧ୍ୟାସୁଦ୍ଧା ତାଙ୍କର ପତ୍ତା ମିଳିନଥିଲା। ତେବେ ରବିବାର ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ପବିତ୍ରଙ୍କର ମୃତ ଦେହ ଶହରର ଗଦାସାହି ନିକଟବର୍ତ୍ତୀ ସାପୁଆ ନଦୀରେ ଭାସୁଥିବା ଦେଖି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ଆଠଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Comments are closed.