ବେଣ୍ଟପଦା ଆବଦ୍ଧାଞ୍ଚଳରେ କୋଭିଡ ପରୀକ୍ଷା

ଆଠଗଡ: ଆଠଗଡ ବ୍ଲକର ବେଣ୍ଟପଦା ଗ୍ରାମରେ ଗତ ୧୦ଦିନରେ ୩୧ କରୋନା ସଂକ୍ରମିତ ବାହାରିଥିବାରୁ ଉକ୍ତ ଗ୍ରାମକୁ ବୁଧବାରଠାରୁ ୭ଦିନ ପାଇଁ ଆଂଶିକ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ଗ୍ରାମରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଗୁରୁବାର ଏକ ସ୍ୱତନ୍ତ୍ର ଶିବିରରେ କୋଭିଡ ପରୀକ୍ଷା କରାଯାଇଥିବା ଜଣାପଡିଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ୧୫୦ଜଣଙ୍କର ସ୍ୱାବ୍‍ ନମୁନା ସଂଗ୍ରହ କରାଯାଇ ଆରଟିପିସିଆର ପରୀକ୍ଷା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ପଠାଯାଇଛି। ସେଠାରେ ମାତ୍ର ୨ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବା ବେଳେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର କୁମାର ସାହୁ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍, ଆଶାକର୍ମୀ ବାସନ୍ତୀ ରାଉଳଙ୍କ ସହାୟତାରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା ପାଇଁ ପ୍ରବର୍ତ୍ତାଯାଇଥିଲା। ଏଥି ସହିତ ଉକ୍ତ ଗ୍ରାମରେ ବିଜୁ ଛାତ୍ର ଜନତା ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯିବା ସହ ୩୦୦ଜଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ବେଣ୍ଟପଦା ସ୍କୁଲ ପାଖରେ ରହୁଥିବା ଜଣେ ପକ୍ଷାଘାତ ରୋଗୀଙ୍କ ଘରକୁ ଯାଇ ସିଏଚସିର ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ, ଏଏନଏମ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଶିକ୍ଷକ ନୀଳମଣି ନାୟକଙ୍କ ସହଯୋଗରେ ସ୍ୱାବ୍‍ ସଂଗ୍ରହ କରିଥିଲେ।

Comments are closed.