୮ଟି ଗ୍ରାମ ଆଂଶିକ ଆବଦ୍ଧ ଅଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ଅଞ୍ଚଳରେ କରୋନା ସଂକ୍ରମଣର ସ୍ଥିତି ଏବେ ଗମ୍ଭୀର ହେବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ଆଠଗଡ ଅଞ୍ଚଳରେ ମୋଟ ୩୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ଜଣ ଅନ୍ୟ ବ୍ଲକ ଓ ଜିଲ୍ଲାର ରହିଛନ୍ତି। ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବା ଲାଗି ଯେଉଁସବୁ ଗ୍ରାମରେ ଲଗାଦାର ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଭଳି ୮ଟି ଗ୍ରାମକୁ ବିଡିଓଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଗୁରୁବାର ଆଂଶିକ ଆବଦ୍ଧ ଅଞ୍ଚଳ ଘୋଷଣା କରିଥିବା ଜଣାପଡିଛି। ଗତ ବୁଧବାର ସୁଦ୍ଧା ୧୦ଦିନ ମଧ୍ୟରେ ଭୋଗରାରେ ୧୩, ଖୁଣ୍ଟୁଣୀରେ ୧୪, ଗୋବରା ୧୨, କୁଲାଇଲୋ ୧୬, ଖମାରନୂଆଗାଁ ୧୧, ସଠିଲୋ ୨୦ ଏବଂ ରାଧାଗୋବିନ୍ଦପୁରରେ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେହି ଗ୍ରାମଗୁଡିକୁ ୨ତାରିଖ ସକାଳ ୬ଟାରୁ ୮ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୭ଦିନ ପାଇଁ ଆଂଶିକ ଆବଦ୍ଧ ଅଞ୍ଚଳ ଭାବେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଘୋଷଣା କରିଛନ୍ତି।

ଏହି ୭ଦିନ ମଧ୍ୟରେ କୋଭିଡ କଟକଣା ଅନୁଯାୟୀ ସଂପୃକ୍ତ ଗ୍ରାମଗୁଡିକରେ ରହିଥିବା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗ୍ରାମ ଭିତରୁ ଓ ବାହାରୁ କାହାର ଯିବାଆସିବାକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ପୃଥକବାସରେ ରହିବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କର କୋଭିଡ ପରୀକ୍ଷା କରିବା ଲାଗି ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମଗୁଡିକର ପ୍ରବେଶପଥକୁ ବାଉଁଶ ବାଡାରେ ବନ୍ଦ କରାଯାଇଥିବାବେଳେ ଅଗ୍ନିଶମ ବିଭାଗକୁ ସେ ସବୁ ଗ୍ରାମରେ ବିଶୋଧନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ବିଡିଓଙ୍କୁ ଓ ଆଇନଶୃଙ୍ଖଳା ରକ୍ଷା ଲାଗି ତହସିଲଦାରଙଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି।

Comments are closed.