କଟକଣା ଅମାନ୍ୟକରି ତଣ୍ଡ ଗଣିଲେ ବ୍ୟବସାୟୀ

ଆଠଗଡ: କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ବ୍ୟବସାୟ ଚଳାଇଥିବା ୨ଟି ଦୋକାନ ଉପରେ ଚଢାଉ କରାଯାଇ ଆଠଗଡ ପ୍ରଶାସନ ପକ୍ଷରୁ ଦୋକାନ ସିଲ କରିବା ସହ ଜୋରିମନା ଆଦାୟ କରାଯାଇଥିବା ଜଣାପଡିଛି। ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଡେପ୍ୟୁଟି କଲେକ୍ଟର ସାରଦାକାନ୍ତି ଦଳାଇ ଓ ସଦର ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ ପୁଲିସ ସହାୟତାରେ ବିଭିନ୍ନ ବଜାର ଘାଟ ଯାଞ୍ଚ କରି କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଶ୍ରୀମତୀ ଦଳାଇଙ୍କ ନେତୃତ୍ୱରେ ଉକ୍ତ ସ୍କାର୍ଡ ଚାନ୍ଦବାଲିଛକ ବଜାର ସମେତ ଅନ୍ୟ ବଜାର ଯାଞ୍ଚ କରିବା ପରେ ବାଣୀକଣ୍ଟନଗର ଅଞ୍ଚଳରେ ଥିବା ଏକ ବଡ ଲୁଗା ଦୋକାନ ଉପରେ ଚଢାଉ କରିଥିଲେ।

ଶ୍ରୀରାମ ଏମପୋରିୟମରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ବ୍ୟବସାୟ ଚାଲିଥିବା ଦେଖି ତୁରନ୍ତ ଉକ୍ତ ଦୋକାନକୁ ସିଲ୍‍ କରିବା ସହ ମାଲିକଙ୍କ ଉପରେ ୫ହଜାର ଟଙ୍କା ଜୋରିମନା କରିଥିଲେ। ସେହିପରି ମୁଣ୍ଡଳି ରାସ୍ତାର ଧାଇପୁର ନିକଟବର୍ତ୍ତୀ କଇଥଛକଠାରେ ଏକ ଜଳଖିଆ ଓ ମିଠା ଦୋକାନ ନିୟମ ଉଲ୍ଲଙ୍ଘନ କରି ବ୍ୟବସାୟ କରୁଥିବାରୁ ସେହି ଦୋକାନକୁ ମଧ୍ୟ ସିଲ କରିବା ସହିତ ୫ହଜାର ଟଙ୍କା ଜୋରିମନା କରାଯାଇଥିଲା। ଆଠଗଡ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଲୋକ ଖୋଲାଖୋଲି ଲକ୍‍ଡାଉନ ନିୟମ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି। ଅମାନିଆ ଲୋକ ଓ ବ୍ୟବସାୟୀଙ୍କ ବିରୋଧରେ ନିୟମିତ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Comments are closed.