ଜଗନ୍ନାଥ ସଂସ୍କୃତି ଶାନ୍ତି ଓ ମୈତ୍ରୀର ବାର୍ତ୍ତାବହ

ଆଠଗଡ଼: ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଆଠଗଡ଼ର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ୪୧ତମ ଭଜନ ସମାରୋହ ଶୁକ୍ରବାର ରାତିରେ ଉଦ୍‍ଘାଟିତ ହୋଇଯାଇଛି। ୮ଦିନ ବ୍ୟାପି ଚାଲିବାକୁ ଥିବା ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଗନ୍ନାଥ ଧର୍ମ ସର୍ବଧର୍ମର ସମନ୍ୱୟ ଏବଂ ଜଗନ୍ନାଥ ଧର୍ମ ଓ ସଂସ୍କୃତି ଶାନ୍ତି ମୈତ୍ରୀ ର ବାର୍ତ୍ତାବହ ବୋଲି ମତବ୍ୟକ୍ତ କରିଥିଲେ। ଜଗନ୍ନାଥ ଧର୍ମ ଓ ସଂସ୍କୃତି ବିଶ୍ୱର ଶତାଧିକ ଦେଶରେ ପ୍ରସାର ପ୍ରଚାର ହୋଇଥିବାବେଳେ ସେ ସବୁ ଦେଶରେ ବିଭିନ୍ନ ଧର୍ମର ଲୋକ ରଥଯାତ୍ରା ପାଳନ କରିବା ଏକ ନିଆରା ତଥା ବିରଳ ଘଟଣା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଆଠଗଡ଼ରେ ନୀରବଚ୍ଛିନ୍ନ ଭାବେ ଗତ ୪୦ବର୍ଷ ଧରି ନବଦିନାତ୍ମକ ଘୋଷଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ନିକଟରେ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରି ଏକ ପବିତ୍ରମୟ ତଥା ଆଧ୍ୟାତ୍ମକି ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥିବା ଜଗନ୍ନାଥ ସେବାସଂସ୍ଥା ବାସ୍ତବିକ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ।

ଜଗନ୍ନାଥ ସେବା ସଂସ୍ଥାର ଉପସଭାପତି ଜଗଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ତହସିଲଦାର ପ୍ରିୟବ୍ରତ ଦାସ ଏବଂ ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଯୋଗଦେଇ ଜଗନ୍ନାଥ ସେବା ସଂସ୍ଥାର ଜଗନ୍ନାଥ ସଂସ୍କୃତି ଓ ଆଠଗଡ଼ର କଳା, ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଲାଗି କରିଚାଲିଥିବା ପ୍ରୟାସ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନବନିର୍ବାଚିତ ନଗରପାଳ ସସ୍ମିତା ରାଉତ, ଉପଖଣ୍ଡ ସୂୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଓ ସମାଜସେବୀ ପଠାଣି ବେହେରାଙ୍କୁ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବଦ୍ଧିତ କରିଥିଲେ। ସଂପାଦକ ପାର୍ଥସାରଥୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅଟ୍ଟାଳି ଜଗନ୍ନାଥଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପୂର୍ବରୁ ଓ ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥ ସେବାସଂସ୍ଥା ପକ୍ଷରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ଏବଂ ଅଧରପଣାର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଦିନ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ସାଥୀମାନେ ଭଜନ ପରିବେଷଣ କରି ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶୁକ୍ରବାର କଟକର ଓଁ ଶ୍ରୀ ଭଜନ ସନ୍ଧ୍ୟା ଦଳର ରବୀନ୍ଦ୍ର ମହାପାତ୍ର, ପ୍ରଭୁପ୍ରସାଦ, ଦିପ୍ତୀମୟୀ ଓ ସାଥୀମାନେ ଭଜନ ପରିବେଷଣ କରୁଛନ୍ତି। ଜଗନ୍ନାଥ ସେବାସଂସ୍ଥାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.