ମେଘା ସେକ୍ଟରରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବେଣ୍ଟପଦା ଠାରେ ସୋମବାର ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ କନକଲତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଦୂରାରୋଗର କାରଣ ତମ୍ବାଖୁ ସେବନ ହୋଇଥିବାରୁ ସେ ସବୁ ବଦଭ୍ୟାସ ଛାଡି ସୁସ୍ଥ ଜୀବନଯାପନ କରିବା ଉଚିତ ବୋଲ ମତବ୍ୟକ୍ତ କରିଥିଲେ।

ଏଥିରେ ଉଦ୍‍ବୋଧନ ଦେଇ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍‍ଲମ୍‍ ତମ୍ବାଖୁ ସେବନକାରୀଙ୍କ ପାଇଁ କରୋନା ରୋଗ ଘାତକ ସାଜିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାଇ ଦିଆଯାଇଥିବା ସୂଚନା ଦେଇଥିଲେ। କରୋନା ସଂକ୍ରମଣ ପ୍ରଥମେ ଫୁସଫୁସକୁ ଆକ୍ରାନ୍ତ କରୁଥିବାରୁ ତମ୍ବାଖୁ ସେବନ କରୁଥିବା ଲୋକଙ୍କ ପାଇଁ ଏହା ମହାବିପଦ ଆଣୁଛି। ତମ୍ବାଖୁଜାତୀୟ ଦ୍ରବ୍ୟର ବ୍ୟବହାର ଦ୍ୱାରା କର୍କଟ, ଯକ୍ଷତ୍ମା, ଶ୍ୱାସନଳୀ ଓ ଫୁସ୍‍ଫୁସ୍‍ରେ ସଂକ୍ରମଣ, ହୃଦ୍‍ଘାତ ଓ ପାକସ୍ଥଳିରେ ଘା’ ସୃଷ୍ଟି ହେବା ଭଳି ରୋଗର ସମ୍ଭାବନା ଯଥେଷ୍ଟ ରହିଥିବାବେଳେ ପ୍ରଜନନ କ୍ଷମତା ହ୍ରାସ ହେବାର ଆଶଙ୍କା ରହିଛି ବୋଲି କହିଥିଲେ। ତମ୍ବାଖୁରେ ଥିବା ନିକୋଟିନ ଓ ଅନ୍ୟ ୪ ହଜାର ପ୍ରକାରର ବିଶାକ୍ତ ତତ୍ତ୍ୱ ଏହି ସବୁ ରୋଗରେ କାରଣ ସାଜିଥାଏ। ଏହି ଅବସରରେ ‘ଜୁଇ ସିନା ମୃତ ଶରୀରକୁ ପୋଡେ ଧୂମ୍ରପାନ ଜୀବନ୍ତଙ୍କୁ ପୋଡି ମାରେ’, ‘ତମ୍ବାଖୁ ସେବନ କର ବର୍ଜନ ନହେଲେ ନେବ ସେ ଆମ ଜୀବନ’ ଆଦି ବିଭିନ୍ନ ସଚେତନଧର୍ମୀ ସ୍ଲୋଗାନ ଲେଖା ଥିବା ପ୍ଲାକାର୍ଡ ଧରି ଶୋଭାଯାତ୍ରାକାରୀ ଗ୍ରାମ ପରିକ୍ରମା କରିଥିଲେ। ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ଅମ୍ବିକା ରାଓ, ଶୁଭଶ୍ରୀ ସାହୁ, ଆଶାକର୍ମୀ ବାସନ୍ତି ରାଉଳ, ଅବନ୍ତି ବେହେରା ଓ ତିଳୋତ୍ତମା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଭ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.