୪୨୩ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ

ଆଠଗଡ଼: ଆଠଗଡ଼ ଏନଏସିର ନବନିର୍ବାଚିତ ପାରିଷଦର ପ୍ରଥମ ବୈଠକ ଶେଷ ହେବା ପରେ ଅପରାହ୍ନରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଠଗଡ଼ ସହରାଞ୍ଚଳର ୪୨୩ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ନଗରପାଳ ସସ୍ମିତା ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରାଜ୍ୟର ଗରିବଗୁରୁବା ଲୋକଙ୍କ ଉନ୍ନତି ଓ ଆର୍ôଥକ ବିକାଶ ପାଇଁ ରାଜ୍ୟ ସରକାର ସମର୍ପିତ ଓ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିଲେ।

ଆଠଗଡ଼ ସହରରେ ଚାଳଛପର ଘରେ ବସବାସ କରୁଥିବା ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରାଥମିକ ଲକ୍ଷ୍ୟ ବୋଲି କହିଥିଲେ। ଏହି ଅବସରରେ ଆଠଗଡ଼ର ୧୮ଟି ଯାକ ୱାର୍ଡରେ ବସବାସ କରୁଥିବା ମୋଟ ୪୨୩ଜଣ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ତତ୍‍ସହିତ ୯ନଂ, ୧୨ନଂ, ୧୩ନଂ, ୧୫ ଓ ୧୬ନଂ ୱାର୍ଡରେ କୃଷି କାର୍ଯ୍ୟର ବିକାଶ ପାଇଁ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ହଜାର ଟଙ୍କା ଲେଖାଏଁ ସ୍ୱଳ୍ପସୁଦ୍ଧରେ ଋଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ସମସ୍ତ ୱାର୍ଡର ନିର୍ବାଚିତ ପାରିଷଦ ଏବଂ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।

Comments are closed.