ଆଠଗଡ଼ ଏନଏସିର ପ୍ରଥମ ପାରିଷଦ ବୈଠକ, ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ସ୍ଥଗିତ

ଆଠଗଡ଼: ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ପାରିଷଦର ପ୍ରଥମ ବୈଠକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ନଗରପାଳ ସସ୍ମିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନବନିର୍ବାଚିତ ପାରିଷଦ ଓ ଅଧ୍ୟକ୍ଷା ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ହେବା ସହିତ ସହରର ବିକାଶ ପାଇଁ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ।

ଏହି ଅବସରରେ ଗତ ପାରିଷଦ ଭଙ୍ଗ ହେବା ପରେ ୩ଗୁଣା ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ (ଗୃହଟିକସ)କୁ ଆଦାୟ ସ୍ଥଗିତ ରଖିବା ସହିତ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଗୃହ ଟିକସ କେତେ ହେବ ତାହା ପୁନଃ ନିର୍ଦ୍ଧାରଣ କରିବା ପାଇଁ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୩ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିଯୋଗୁଁ ଆଠଗଡ଼ ସହରବାସୀଙ୍କ ମଧ୍ୟରେ ଦୀର୍ଘ ୪ବର୍ଷ ହେବ ଅସନ୍ତୋଷ ଲାଗି ରହିଥିଲା। ଏଥି ସହିତ ୧୮ଟି ଯାକ ୱାର୍ଡରେ ପର୍ଯ୍ୟାୟକ୍ରମେ ଆବଶ୍ୟକତା ଅନୁଯାୟୀ ପରିମଳ, ନାଳ ନବୀକରଣ କରିବା ଏବଂ ନାଳ ଉପରେ ଘୋଡଣୀ ବ୍ୟବସ୍ଥା କରିବା, ସହରରେ ସମସ୍ତ ମୁଖ୍ୟ ରାସ୍ତା ଓ ସାହିବସ୍ତିରେ ଆଲୋକିକରଣ ଏବଂ ମୁଖ୍ୟ ଛକଗୁଡିକରେ ହାଇମାଷ୍ଟ(ସୁଉଚ୍ଚ ଉଜ୍ଜଳ ଆଲୋକ) ଲଗାଇବା, ଏନଏସି ଅଞ୍ଚଳରେ ଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ସହରାଞ୍ଚଳ ଜାଗା ମିଶନ ଜରିଆରେ ଜମି ଆବଣ୍ଟନ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ଏଥିସହିତ ଏହି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ତା ସହିତ ଏନଏସି କାର୍ଯ୍ୟାଳୟ ବ୍ୟବହାର ପାଇଁ ଆବଶ୍ୟକୀୟ କମ୍ପୁଟର ଓ ଅନ୍ୟାନ୍ୟ ଉପକରଣ କ୍ରୟ, ୨୦୨୨-୨୩ ପାଇଁ ଟ୍ରେଡ୍‍ ଲାଇସେନ୍ସ ବା ବ୍ୟବସାୟିକ ଲାଇସେନ୍ସ କରାଯିବା ବିଷୟରେ ମଧ୍ୟ ଆଲୋଚନା କରାଯାଇ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ବିଗତ ବୈଠକର ବିବରଣୀ ଉପସ୍ଥାପନ କରିବା ସହ ଏନଏସି ପକ୍ଷରୁ ମୁକ୍ତା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ବୈଠକରେ ଆଲୋକପାତ କରିଥିଲେ। ଏହି ବୈଠକରେ ୧୮ଟି ଯାକ ୱାର୍ଡର ନବନିର୍ବାଚିତ ପାରିଷଦମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.