ଅବକାରୀ ଚଢାଉ, ୭୩୫ ଲିଟର ମଦ ଜବତ

ଆଠଗଡ଼: ଆଠଗଡ଼ ଅବକାରୀ, କଟକ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ଓ ନରସିଂହ ଅବକାରୀ ପକ୍ଷରୁ ମିଳିତ ଭାବେ ଆଠଗଡ଼ର ପାଟଲିଙ୍ଗା, ସାନଭଗୁଆ ଓ ବଡ ଭଗୁଆ ଅଞ୍ଚଳରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ଗୁଡପୋଚ ଜବତ କରିଥିବା ଜଣାପଡ଼ିଛି। ଆଠଗଡ଼ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ କଟକ ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ପାଟଲିଙ୍ଗା, ସାନ ଭଗୁଆ ଓ ବଡଭଗୁଆର ଏକାଧିକ ଚୋରା ମଦଭାଟି ଉପରେ ଚଢାଉ କରାଯାଇ ସଦ୍ୟପ୍ରସ୍ତୁତ ୭୩୫ଲିଟର ଦେଶୀମଦ ଓ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରିକିନରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।

ଅବକାରୀର ଏକାଧିକ ଗାଡି ଦୂରରୁ ଆସୁଥିବା ଦେଖି ମଦମାଫିଆ ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇପାରିନଥିଲା। ଆଠଗଡ଼ ଅବକାରୀ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ ଏବଂ ନରସିଂହପୁରର ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.