ମହାମାରୀ ମୁକାବିଲାର ସମର୍ପିତ ସମ୍ମୁଖ ଯୋଦ୍ଧା

ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ମାନବସମାଜର ସ୍ଥିତି ଭୀଷଣ ପ୍ରଭାବିତ ହୋଇଛି। ଏ ମହାମାରୀର ମୁକାବିଲା ଆଉ ମାନବଜାତିକୁ ରକ୍ଷା କରିବା ଲାଗି ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଆଗଧାଡ଼ିର କରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ସେମାନଙ୍କ ପାଇଁ ଦିନରାତି ଏକକାର ହୋଇଯାଇଛି। ନିଶ୍ଚିତ ଭାବେ ସେହିମାନଙ୍କ ନିସ୍ୱାର୍ଥପର ସମର୍ପିତ ସେବା ଲକ୍ଷଲକ୍ଷ ସଂକ୍ରମିତଙ୍କୁ କରୋନା କବଳରୁ ଆରୋଗ୍ୟ କରୁଛି। ଏହିଭଳି ସେବାର ଧାରା ଯୋଗୁଁ ନିପଟ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ମୂଲ୍ୟବାନ ଜୀବନ ରକ୍ଷା ସମ୍ଭବ ହୋଇପାରୁଛି। ଏପରିପ୍ରେକ୍ଷୀରେ ଆଠଗଡ଼ ଅଞ୍ଚଳରେ କରୋନା ସଂକ୍ରମଣର ମୁକାବିଲା ଓ ରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରି ଦେଇଥିବା ବହୁ ଯୋଦ୍ଧାଙ୍କ ମଧ୍ୟରୁ ତିନି ଜଣ ସମ୍ମୁଖ ଯୋଦ୍ଧାଙ୍କ ନିଷ୍ଠାପର କର୍ତ୍ତବ୍ୟ ଓ ସେବା ବାସ୍ତବରେ ଉଲ୍ଲେଖନୀୟ।

ଅତୁଳନୀୟ ସୁକାନ୍ତ ସେଠୀ (ଲାବୋରେଟୋରୀ ଟେକ୍ନିସିଆନ)
ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଲାବୋରେଟାରୀ ଟେକ୍ନିସିଆନ ଭାବେ କାର୍ଯ୍ୟରତ ସୁକାନ୍ତ କୁମାର ସେଠୀଙ୍କ ସମର୍ପିତ ସେବା ମନୋଭାବ ଓ କାର୍ଯ୍ୟ ବାସ୍ତବରେ ଅତୁଳନୀୟ। ନିଜକୁ ଜଣେ ସମ୍ମୁଖ ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ ନିର୍ଭୟରେ କରୋନା ଭୂତାଣୁର ଅତି ନିକଟତର ହେଉଥିବା ମଣିଷ। କରୋନା ପରୀକ୍ଷଣରେ ଆଣ୍ଟିଜେନ ହେଉ ଅବା ଆରଟିପିସିଆ ପାଇଁ ଯଥା ସାଧ୍ୟ ସତର୍କତା ଅବଲମ୍ବନ କରି ଏହି ପ୍ରାଥମିକ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ମହାମାରୀ ପ୍ରଥମ ଲହରୀ ଗତ ୨୦୨୦ ମାର୍ଚ୍ଚ ମାସରେ ବ୍ୟାପିବା ପରଠାରୁ ଆଠଗଡ଼ ଡାକ୍ତରଖାନା ସମେତ ବିଭିନ୍ନ ଶିବିରରେ ୧୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ଏକାକୀ ସ୍ୱାବ ସଂଗ୍ରହ କରିଥିଲେ। ଗୋଟିଏ ଦିନ ବି ଛୁଟି ନନେଇ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିର୍ବାହରେ ସେବା ସମର୍ପଣର ଭାବ ଦେଖାଇଛନ୍ତି ସୁକାନ୍ତ। ୨୦୨୧ଫେବୃଆରୀରେ ଦେଶରେ କରୋନାର ଦ୍ୱିତୀୟ ଲହର ଆହୁରି ଭୟଙ୍କର ରୂପନେଇ ମାଡ଼ିଚାଲି ଥିବା ବେଳେ ଗତ ଜାନୁଆରୀ ୧ ତାରିଖରୁ ଅଦ୍ୟାବଧି ସୁକାନ୍ତ ଏକାକୀ ଆଠଗଡ଼ ଡାକ୍ତରଖାନାରେ ପାଖାପାଖି ୬ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ୱାବ ସଂଗ୍ରହ କରି ଆଣ୍ଟିଜେନ ପରୀକ୍ଷା କରିଛନ୍ତି।

ପ୍ରଶଂସନୀୟ ମହମ୍ମଦ ଅସ୍‍ଲମ୍‍ (ବହୁମ୍ମୁଖୀ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ)
ଆଠଗଡ଼ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ମେଘା ସ୍ୱାସ୍ଥ୍ୟ ସେକ୍ଟରର ବହୁମ୍ମୁଖୀ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସ୍‍ଲମ୍‍ଙ୍କ ସମର୍ପିତ ସେବା ମନୋଭାବ ପ୍ରଶଂସନୀୟ। ନିଜର ନିୟମିତ କାର୍ଯ୍ୟ ସହିତ ମେଘା ସେକ୍ଟରରେ ଗତ ଦେଢ଼ ବର୍ଷ ଧରି କରୋନା ମହାମାରୀରୁ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ ସେଥିଲାଗି ନିୟମିତ ଓ ନିରବଚ୍ଛିନ୍ନ ଭାବେ ବ୍ୟାପକ ସଚେତନ କରିଚାଲିଛନ୍ତି। ଏଥି ସହିତ ତାଙ୍କୁ ଆଠଗଡ଼ ସହରାଞ୍ଚଳରେ କରୋନା ମୁକାବିଲାକୁ ତ୍ୱରାନ୍ୱିତ ଅତିରିକ୍ତ ପ୍ରଧାନ ଦାୟିତ୍ୱ ଦିଆଯିବା ପରେ କରୋନା ରୋଗୀଙ୍କ ସେବାରେ ସେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ ରଖିଛନ୍ତି। କରୋନା ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା ଲାଗି ପ୍ରବର୍ତ୍ତାଇବା, ଚିହ୍ନଟ ପରେ ସଂକ୍ରମିତଙ୍କ ଘରେ ପହଞ୍ଚି ପୃଥକବାସରେ କିପରି ରହିବେ ବୁଝାଇବା ସହ ଔଷଧ ବିତରଣ କରିବା ଏବଂ ଆବଶ୍ୟକ ସ୍ଥଳେ କରୋନା ଚିକିତ୍ସାଳୟକୁ ସେମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟକୁ ସମ୍ପାଦନ କରିବାରେ ଅସ୍‍ଲମ୍‍ ଦିନରାତି ଏକ କରିଦେଇଛନ୍ତି।

ପ୍ରେରଣା ପୁରୁଷ ସନାତନ ରାୟ (ସାମାଜିକ କର୍ମୀ ଓ ସାମ୍ବାଦିକ)
ଆଠଗଡ଼ ଅଞ୍ଚଳରେ ରାୟ ମଉସା ଭାବେ ବେଶ ସୁପରିଚିତ ସାମାଜିକ କର୍ମୀ ତଥା ଏ ଅଞ୍ଚଳର ବୟୋଜ୍ୟେଷ୍ଠ ସାମ୍ବାଦିକ ସନାତନ ରାୟ। ଦୀର୍ଘବର୍ଷ ଧରି ଉପଖଣ୍ଡ ଡାକ୍ତରଖାନାରେ ତାଙ୍କର ସମର୍ପିତ ରୋଗୀଙ୍କ ସେବା ଏକ ନିଆରା ଉଦାହରଣ ପାଲଟିଛି। ବାର୍ଦ୍ଧକ୍ୟର ୮୭ ବର୍ଷ ବୟସରେ ସନାତନ ବାବୁ ପ୍ରତିଦିନ ଡାକ୍ତରଖାନାକୁ ଦୁଇ ଓଳି ଯିବା ସୁନିଶ୍ଚିତ। ସେଠାରେ ପ୍ରତି ରୋଗୀଙ୍କ ସୁବିଧା ଅସୁବିଧା ବୁଝିବା ସହ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିବାରେ କେବେବି ଥକି ପଡ଼ିବାର ଦେଖିବାକୁ ମିଳେନା। ପରିଣତ ବୟସରେ ତାଙ୍କର ଯୁବକତ୍ୱର କର୍ମ ଚଞ୍ଚଳତା ଆଉ ମୁହଁରେ ଫୁଟି ଉଠୁଥିବା ଅପାର ଆନନ୍ଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶ୍ରୀ ରାୟ ପ୍ରତିଦିନ ଡାକ୍ତରଖାନାର ବହିର୍ବିଭାଗ ହେଉ ଅବା ଅନ୍ତର୍ବିଭାଗ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଟିକିନିଖି ବୁଝିବା ସହିତ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ସେବା ଯୋଗାଇ ଦେଇଥାନ୍ତି। ଆଉ ଏବେ କରୋନା ମହାମାରୀ କାଳରେ ମଧ୍ୟ ନିଜର ସ୍ୱାସ୍ଥ୍ୟକୁ ପଛରେ ପକାଇ କରୋନା ପରୀକ୍ଷା, ଟିକାକରଣ ଆଦିକୁ ବ୍ୟବସ୍ଥିତ କରିବାରେ ନିଜକୁ ସମର୍ପିତ କରି ଦେଇଛନ୍ତି। ରୋଗୀଙ୍କ ନିକଟତମ ଏହି ସମର୍ପିତ ସେବକ ଅନ୍ୟମାନଙ୍କ ପାଇଁ ଜଣେ ପ୍ରେରଣାର ଉତ୍ସ ପୁରୁଷ।

Comments are closed.