ଡାକ୍ତର ବିଚିତ୍ରାନନ୍ଦ ମିଶ୍ରଙ୍କ ପରଲୋକ

ଆଠଗଡ଼: ଆଠଗଡ଼ ରଥଗଡ଼ା ଅଞ୍ଚଳର ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଚିତ୍ରାନନ୍ଦ ମିଶ୍ରଙ୍କର ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ରାତି ପ୍ରାୟ ୯ଟାରେ ପରଲୋକ ହୋଇଯାଇଛି। ଆଠଗଡ଼ର ସଚ୍ଚିଦାନନ୍ଦ ରାଜଗୁରୁଙ୍କ ଜ୍ୟେଷ୍ଠପୁତ୍ର ଡାକ୍ତର ବିଚିତ୍ରାନନ୍ଦ ମିଶ୍ର ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟ କରିବା ପରେ ଶେଷରେ ଢେଙ୍କାନାଳର ଜିଲ୍ଲା ଚିକିତ୍ସାଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ଆଠଗଡ଼ରେ ରୋଗୀସେବା ଯୋଗାଇ ଦେବା ସହ ସମାଜ ଓ ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ମାଧବପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ କିଛିବର୍ଷ କାର୍ଯ୍ୟ କରିଥିଲେ। ଅସୁସ୍ଥତା କାରଣରୁ ସେଠାରୁ ଅବ୍ୟାହତି ନେଇ ସେ ନିଜ ଏକମାତ୍ର ପୁତ୍ରଙ୍କ ପାଖରେ ଭୁବନେଶ୍ୱରରେ ରହୁଥିଲେ।

କିଛିଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କିମ୍‍ସ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବାବେଳେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସୌମ୍ୟକାନ୍ତ, ବୋହୂ ସୁଚିତ୍ରା, ଝିଅ ସାଗରିକା, ଜ୍ୱାଇଁ ନିଳମାଧବ ପାଢି ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଆଠଗଡ଼ରେ ଗଭୀର ଶୋକ ପ୍ରକାଶ ପାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଡାକ୍ତର ମିଶ୍ରଙ୍କ ପରଲୋକ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଜିମସାରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ, ଡାକ୍ତର ଭୁବନାନନ୍ଦ ଦାସ, ଜିମସାର ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟଙ୍କ ସମେତ ଆଠଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତ୍ର ସୌମ୍ୟକାନ୍ତ ମୁଖାଗ୍ନି ଦେଇଥିଲେ।

Comments are closed.