ମେଘାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‍ଯାପିତ

ଆଠଗଡ଼: ଆଠଗଡ଼ ବ୍ଲକର ମଘା ପଞ୍ଚାୟତର ଆରାଧ୍ୟ ପ୍ରଭୁ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିରରେ ବିଶ୍ୱେଶ୍ୱର ମହାଯଜ୍ଞ କମିଟି ଆନୁକୂଲ୍ୟରେ ଗତ ୧୩ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ପୂର୍ଣ୍ଣାହୁତି ସହ ଉଦ୍‍ଯାପିତ ହୋଇଯାଇଛି। ଶୁକ୍ରବାର ଅଙ୍କୁରାରୋପଣ ପରେ ଶନିବାର ଶତାଧିକ ଶ୍ରଦ୍ଧାଳୁ ମହାନଦୀରୁ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ମନ୍ଦିର ପରିସରକୁ ଆସିବା ପରେ ଯଜ୍ଞମଣ୍ଡପରେ ଘଟସ୍ଥାପନା କରାଯାଇ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା ସହିତ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନା କରାଯାଇ ଯଜ୍ଞାରମ୍ଭ ହୋଇଥିଲା। ସୋମବାର ପୂର୍ଣ୍ଣାହୁତି ଅବସରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ମେଘା, ଦାଶପୁର, ବାଘେରା ତଥା ନଦୀକୂଳ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ମେଘା, ଦାଶପୁର ଓ ବାଘେରା ଗ୍ରାମତ୍ରୟର ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମ ଓ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତାଭାବେ ଦିନବନ୍ଧୁ ପାଣି ଏବଂ ମୁଖ୍ୟ ପୁରୋଧା ଭାବେ ପ୍ରଶନ୍ନ କୁମାର ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଯଜ୍ଞ ପରିଚାଳନା କରିଥିଲେ।

Comments are closed.