ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉତ୍ସାହିତ ଦିବସ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ବେଣ୍ଟପଦା ପଞ୍ଚାୟତର ରାଧାକାନ୍ତ ପାଟଣା ଅଙ୍ଗନବାଡି କେନ୍ଦ୍ରଠାରେ ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନ ଶୈଳୀ ଉତ୍ସାହିତ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଣ୍ଟପଦା ସରପଞ୍ଚ କନକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଚେତନତା ଓ ଜୀବନଶୈଳୀରେ ପରିବର୍ତ୍ତନ ଲୋଡା ବୋଲି ମତବ୍ୟକ୍ତ କରିଥିଲେ। ସଂଯୋଜନା କରୁଥିବା ମହମ୍ମଦ ଅସଲମ ଉତ୍ତମ ପରିମଳ ବ୍ୟବସ୍ଥା ଓ ପରିଚ୍ଛନ୍ନତା ସୁସ୍ଥ ଜୀବନର ମୂଳ ଆଧାର ବୋଲି କହିବା ସହ ନିଜ ଘର, ପରିସର ଓ ଗ୍ରାମର ପରିମଳ ଓ ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଆମ ଦେଶରେ ଦୂଷିତ ଜଳ ଯୋଗୁଁ ପ୍ରାୟ ୩ କୋଟି ଲୋକ ପ୍ରତିବର୍ଷ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ସମ୍ମୀଳିତ ଭାବେ ଗ୍ରାମ ସଫେଇ କାର୍ଯ୍ୟକ୍ରମ, ଗାଁରେ ଥିବା ନଳକୂପ, ଖୋଲା କୂପ ସହିତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ଓ କୋଠଘର ଆଦିକୁ ନିୟମିତ ସଫେଇ କରିବା ସହ ବିଶୋଧନ କରିବା ଆବଶ୍ୟକ ବୋଲି ଶ୍ରୀ ଅସଲମ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ସାହୁ, ଆଶାକର୍ମୀ ବାସନ୍ତୀ ରାଉଳ ଏବଂ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ସହଯୋଗ କରିଥିଲେ।

Comments are closed.