ଆଠଗଡରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆସନ୍ତା ବୁଧବାର ପର୍ୟ୍ୟନ୍ତ ବନ୍ଦ

ଆଠଗଡ: ଆଠଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ୫ଜଣ କର୍ମଚାରୀଙ୍କ ସମେତ ଆଠଗଡ ବ୍ଲକରୁ ଶନିବାର ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସନ୍ତା ବୁଧବାର ପର୍ୟ୍ୟନ୍ତ ବନ୍ଦ ରଖାଯାଇଥିବ। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସୁତ୍ରରୁ ପ୍ରକାଶ।

ଗୁରୁବାର ତିଗିରିଆଠାରେ ଅନୁଷ୍ଠିତ ସ୍ୱାବ୍‍ ସଂଗ୍ରହ ଶିବିରରେ ଉପଜିଲ୍ଲାପାଳଙ୍କ ସମେତ ତାଙ୍କ କାର୍ୟ୍ୟାଳୟର କେତେକ କର୍ମଚାରୀଙ୍କର ସ୍ୱାବନମୁନା ପରୀକ୍ଷା ପାଇଁ ସଂଗୃହିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳା କର୍ମଚାରୀଙ୍କ ସମେତ ୫ଜଣ ଏବଂ ସଂପୃକ୍ତ ମହିଳା କର୍ମଚାରୀଙ୍କ ସଂପର୍କୀୟ ୩ଜଣ କୋଭିଡ ପଜିଟିଭ ଥିବା ଶନିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆସିଥିବା ରିପୋର୍ଟରୁ ଜଣାପଡିଛି। ସୂଚନା ଥାଉକି ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଂପୃକ୍ତ ମହିଳା କର୍ମଚାରୀଙ୍କ ସ୍ୱାମୀ ଯିଏକି କଟକ ସଦର ତହସିଲରେ ଆରଆଇ ଭାବେ ଅଛନ୍ତି, ତାଙ୍କର କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଜିମସାର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ପତ୍ନୀ, ଦୁଇ ପିଲା ଓ ଭଣଜା କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ମଧ୍ୟ ଜିମସାର କୋଭିଡ ଡାକ୍ତରଖାନାକୁ ଆଜି ସନ୍ଧ୍ୟାରେ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଅନ୍ୟ ୪ଜଣ କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ଟାଙ୍ଗୀସ୍ଥିତ ଡ୍ରିମସ୍‍ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ବ୍ୟତୀତ ତିଗିରିଆ ସିଡିପିଓଙ୍କ କାର୍ୟ୍ୟାଳୟରେ ଅଙ୍ଗନବାଡି ସୁପରଭାଇଜର ଥିବା ଆଠଗଡ ବ୍ଲକର ଖୁଣ୍ଟୁକଟା ଗ୍ରାମର ୫୭ବର୍ଷ ବୟସ୍କା ମହିଳା ମଧ୍ୟ ଆକ୍ରାନ୍ତ ଥିବା ଜଣପଡିବା ପରେ ତାଙ୍କୁ ମଧ୍ୟ ଜମସାର କୋଭିଡ ଡାକ୍ତରଖାନାକୁ ପଠାଯାଇଛି। ଏହାଛଡା ଆଠଗଡ ଡାକ୍ତରଖାନା ପରିସର ଓ ଆଖପାଖ ଦୋକାନ ବରଣ୍ଡାରେ ଦୀର୍ଘ ଦିନ ହେବ ରହିଆସୁଥିବା ଜଣେ ୩୦ବର୍ଷ ବୟସ୍କ ଅସହାୟ ଯୁବକ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ସଂପୃକ୍ତ ଯୁବକ ଜଣେ ଗୁରୁତର ମଧୁମେହ ରୋଗୀ ଏବଂ ସେ ଗୁରୁବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଲକ୍ଷଣ ଦେଖି ଶୁକ୍ରବାର ଆଣ୍ଡିଜେନ ଟେଷ୍ଟ କରିବା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଏହା ଜଣାପଡିବା ପରେ ଡାକ୍ତରଖାନାର ଯେଉଁ ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଥିଲା ସେହି ୱାର୍ଡରୁ ଅନ୍ୟରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ବିଶୋଧନ କରାଯିବା ସହ ଉକ୍ତ ୱାର୍ଡକୁ ୨୪ଘଣ୍ଟା ପାଇଁ ସିଲ କରିଦିଆଯାଇଛି। ଏପଟେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ କର୍ମଚାରୀମାନେ ରହୁଥିବା ଗାନ୍ଧିମାର୍ଗସ୍ଥିତ କ୍ୱାଟର ଗୁଡିକୁ ଏନଏସି ପକ୍ଷରୁ ବିଶୋଧନ କରାଯିବା ସହ କ୍ୱାଟରଗୁଡିକୁ ସିଲ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସନ୍ତା ବୁଧବାର ପର୍ୟ୍ୟନ୍ତ ବନ୍ଦ ରଖାଯାଇଥିବ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସୁତ୍ରରୁ ପ୍ରକାଶ।

Comments are closed.