ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍‍ଯାପିତ

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଉଦ୍‍ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ ଦ୍ୱାରା ସେମାନେ ନିଜର ସୁରକ୍ଷା ସହିତ ପରିବାରର ସୁରକ୍ଷାରେ ଏହାକୁ ଉପଯୋଗ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବଡମ୍ବାସ୍ଥିତ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଚିସ୍ମିତା ମହାନ୍ତି ଯୋଗଦେଇ କଲେଜ ଗୁଡିକରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ।

ତାଲିମ ପାଇଥିବା ଛାତ୍ରୀମାନେ ନିଜର ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ପରିବାରବର୍ଗ ଓ ସାଙ୍ଗସାଥୀଙ୍କର ସୁରକ୍ଷାରେ ଏହି ଆତ୍ମରକ୍ଷା କୌଶଳ ଉପଯୋଗ କରିବା ଉଚିତ୍‍ ବୋଲି ମତ ପ୍ରକାଶ କରିଥିଲେ। ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମଳୟ ମଞ୍ଜରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହ-ସଂଯୋଜିକା ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗତ ମାର୍ଚ୍ଚ ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀଙ୍କୁ ପ୍ରଶିକ୍ଷିକା ନିରୁପମା ବେହେରା ଓ ସଂଗୀତା ବେହେରା ତାଲିମ ପ୍ରଦାନ କରିଥିଲେ। ସଭା ଶେଷ ପରେ ତାଲିମ ନେଇଥିବା ଛାତ୍ରୀମାନେ ଆତ୍ମରକ୍ଷାର କେତେକ କୌଶଳ ପ୍ରଦର୍ଶନ କରିଥିଲେ।

Comments are closed.