ମହିଳା କଲେଜରେ ସ୍ୱାସ୍ଥ୍ୟ ଓ ସଦାଚାର ସଂପର୍କୀତ କର୍ମଶାଳା

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶିକ୍ଷାର୍ଥୀ ସ୍ୱାସ୍ଥ ଓ ସଦାଚାର ସଂପର୍କୀତ ଏକ ପ୍ରଶିକ୍ଷଣ କର୍ମଶାଳା ମଙ୍ଗଳବାର କଲେଜ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ମହାତ୍ମା ଗାନ୍ଧୀ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟକ୍ଷା ପୁଲିନ ମିଶ୍ର ମୁଖ୍ୟ ଅତିଥି ଏବଂ ଖୁଣ୍ଟୁଣୀର ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ପ୍ରାକ୍ତନ ସଂଯୋଜକ ଡଃ ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ବୌଦ୍ଧିକ ବିକାଶ ସହିତ କୁପୋଷଣ ଦୂରୀକରଣ ସଂପର୍କରେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ। ବିଦ୍ୟାର୍ଥୀଙ୍କର ସଂଜମତା ରକ୍ଷା ଓ ଆତ୍ମବିଶ୍ୱାସ କିପରି ବଢ଼ିବ ସେ ସଂପର୍କରେ ଅତିଥି ଦ୍ୱୟ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ। ମଣିଷର ବ୍ୟବହାର ଓ ଚାଲିଚଳଣ ତାର ପରିଚୟ ବୋଲି ଅତିଥିଦ୍ୱୟ ପ୍ରକାଶ କରିବା ସହିତ ଛାତ୍ରୀମାନେ ଏ ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ମୋବାଇଲ ଫୋନର ଅପବ୍ୟବହାର ନକରିବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳା ଶେଷରେ ଅଧ୍ୟାପିକା ପ୍ରମୋଦିନୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.