ରାସରସିକପୁରରେ ବାସନ୍ତୀ ଦୁର୍ଗାପୂଜା

ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ଗ୍ରାମଦେବତୀ ମା ଭୂଆସୁଣୀଙ୍କ ପୀଠରେ ଏକ ପବିତ୍ରମୟ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଟିତ ହୋଇଯାଇଛି। ଚୈତ୍ରଶୁକ୍ଳ ଷଷ୍ଠୀ ତିଥି ଗୁରୁବାର ଦିନ କଳସ ଯାତ୍ରା ଓ ଘଟସ୍ଥାପନା କରାଯିବା ପରେ ଶୁକ୍ରବାର ପ୍ରତ୍ୟୁଷରେ ସୂର୍ଯ୍ୟପୂଜା, ଗୋପୂଜା, ଆବାହିତ ମଣ୍ଡଳ ଦେବତା ପୂଜା ଏବଂ ଦେବୀଙ୍କର ଷୋଡଶ ଉପଚାର ପୂଜା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଶନିବାର ମାଆଙ୍କ ଚଳନ୍ତି ପ୍ରତିମାକୁ ବାଜା, ବାଣ, ରୋଷଣୀ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ ଗୋପାଳ ଭାଇଙ୍କ ଲଉଡି ଖେଳ ମଧ୍ୟରେ ନଗର ପରିକ୍ରମା କରାଯାଇଥିଲା। ନଗର ପରିକ୍ରମା କାଳରେ ରାସରସିକପୁର ସାହିର ପ୍ରତ୍ୟେକ ଗୃହ ସାମନାରେ ଚିତା ଓ ରଙ୍ଗୋଲି ସହିତ କଳସ ବସାଇ ମହିଳାମାନେ ହୁଳହୁଳି ହରିବୋଲ ପକାଇ ସ୍ୱାଗତ କରିଥିଲେ।

ତତ୍‍ପରେ ଯଜ୍ଞର ପୂର୍ଣ୍ଣାହୁତି ଏବଂ ମହାଆଳତୀ କରାଯାଇଥିଲା। ସଞ୍ଜିତ ରଞ୍ଜନ ଦାଶ, ଶ୍ରୀନିବାସ ଷଡଙ୍ଗୀ ଓ ସୁଶାନ୍ତ କୁମାର ପାଣି ପୁରୋଧା ଭାବେ ଏବଂ ନବକିଶୋର ରାଉତ କର୍ତ୍ତା ଭାବେ ଯଜ୍ଞ ପରିଚାଳନା କରିଥିଲେ। ମନ୍ଦିରର ପୂଜକ ବୃନ୍ଦାବନ ମହାପାତ୍ର, ସମାଜସେବୀ ମିହିର ତ୍ରିପାଠୀ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଦୁର୍ଗାଚରଣ ସାହୁ, ସଂଜୟ କୁମାର ସାହୁ, ସୁଶିଲ ରାଉତ, ରାକେଶ ସାହୁ, ଦୀପ୍ତିରଞ୍ଜନ ନାୟକ, ବିଭୂ ପ୍ରସାଦ ଜେନା, ରାଜୀବ ପ୍ରସାଦ ମହାପାତ୍ରଙ୍କ ସମେତ ସମସ୍ତ ସାହିବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.