ଶ୍ରମିକ ସଂଗଠନର କଳାଦିବସ ଓ ଦାବିପତ୍ର ପ୍ରଦାନ

ଆଠଗଡ: ହିନ୍ଦ ମଜଦୁର ସଭା ଆଠଗଡ ଶାଖା ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ପ୍ରତିବାଦରେ କଳାଦିବସ ପାଳନ କରିବା ସହିତ ସେମାନଙ୍କର ୮ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ହିନ୍ଦ ମଜଦୁର ସଭାର ଆଠଗଡ ଶାଖା ସଭାପତି ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ସଂଗଠନର ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିଗୁଡିକ ମଧ୍ୟରେ କରୋନା ଭଳି ମହାମାରୀରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଯଥାଶୀଘ୍ର ଟୀକା ଯୋଗାଇ ଦେବା, ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ବେକାରୀମାନଙ୍କୁ ମାସିକ ୭୫୦୦ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା, ଦେଶର କୋଟି କୋଟି ଶ୍ରମିକ ଓ କୃଷକମାନଙ୍କ ସୁରକ୍ଷା ପାଇଁ ବିବାଦୀୟ ଶ୍ରମ ଓ କୃଷି ଆଇନକୁ ବାତିଲ କରିବା, ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ଶ୍ରମଆଇନକୁ ଉଲ୍ଲଙ୍ଘନ କରୁଥିବା କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କେନ୍ଦୁପତ୍ର ଉପରୁ ଜିଏସ୍‍ଟି ହଟାଇବା ସହ ଲାଭାଂଶର ସିଂହ ଭାଗ କେନ୍ଦୁପତ୍ର ଓ ବିଡି ଶ୍ରମିକଙ୍କୁ ପ୍ରଦାନ କରିବା ରାଜ୍ୟରେ କାର୍ଯ୍ୟକ୍ଷମ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବାର୍ଷିକ ଆୟବ୍ୟୟ ହିସାବ ସାର୍ବଜନୀନ କରିବା ଆଦି ଅନ୍ତର୍ଭୁକ୍ତ। ସଭାପତି ଶ୍ରୀ ରାଉତଙ୍କ ସହ ଶ୍ରୀନିବାସ ନାୟକ, ନିରଞ୍ଜନ ଦାସ, ସୂର୍ଯ୍ୟମଣି ପରିଡା, ଧନେଶ୍ୱର ବେହେରା, ନିର୍ମଳ କୁମାର ଦାସ, ଶୁଭେନ୍ଦୁ ବେଉରା ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Comments are closed.