ବିଦ୍ୟାଦାତ୍ରୀଙ୍କ ଆବାହନରେ ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ

ଆଠଗଡ: କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡିକରେ ବିଦ୍ୟାର୍ଥୀଙ୍କର ଅନୁପସ୍ଥିତି ଏକ ଖାଁ ଖାଁ ପରିବେଶ ସୃଷ୍ଟି କରିଥିଲା। ତେବେ ସରକାରଙ୍କର ନିର୍ଦ୍ଦେଶାନାମା ସାମାନ୍ୟ କୋହଳ ହେବା ପରେ ଶନିବାର ବିଦ୍ୟାଦାତ୍ରୀ ବାଗ୍‍ଦେବୀଙ୍କ ଆବାହନରେ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହୋଇଥିବା ଦେଖାଯାଇଥିଲା।

ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ସ୍ୱଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସରସ୍ୱତୀ ପୂଜା ଅଧିକାଂଶ ବିଦ୍ୟାଳୟରେ ନିରାଡମ୍ବର ଭାବେ ପାଳନ କରାଯାଇଅଛି। ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ରାସରସିକପୁର ୟୁଜିୟୁପି ସ୍କୁଲ, କନ୍ତୋଲ ନୋଡାଲ ସ୍କୁଲ, ଅଚ୍ୟୁତାନନ୍ଦ ବିଦ୍ୟାପୀଠ, ମହାତ୍ମାଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ, ଜାଭିୟର୍ସ ହାଇସ୍କୁଲ, ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ସମେତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କେତେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଘରୋଇ କୋଚିଂ ସେଣ୍ଟର, ବିଭିନ୍ନ କ୍ଲବ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକରେ ମଧ୍ୟ ବାଗଦେବୀଙ୍କ ଆବାହନ କରାଯାଇଥିଲା।

Comments are closed.