ଇନରହ୍ୱିଲର ପୂର୍ବତନ ସଭାପତି ସମ୍ବର୍ଦ୍ଧିତ

ଆଠଗଡ଼: ଆଠଗଡ଼ ଇନରହ୍ୱିଲ କ୍ଲବର ପୂର୍ବତନ ସଭାପତି କବିତା ରଚନା ପାଇଁ ବାଙ୍କୀର ଏକ ସାହିତ୍ୟାନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ଜଣାପଡ଼ିଛି। ଗଣତନ୍ତ୍ର ଦିବସ ଅବସରରେ ବାଙ୍କୀ ଅଞ୍ଚଳର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଉତ୍ସବରେ ଆଠଗଡ଼ ଇନରହ୍ୱିଲ କ୍ଲବର ପୂର୍ବତନ ସଭାପତି କଳ୍ପଲତା ଦାଶଙ୍କୁ ତାଙ୍କର ସାହିତ୍ୟ ଓ କବିତା ରଚନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଓ ଆଠଗଡ଼ ଇନରହ୍ୱିଲ କ୍ଲବର ପୂର୍ବତନ ସଭାପତି ତଥା ସୁସାହିତ୍ୟିକା ପୁଲିନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଇନରହ୍ୱିଲ କ୍ଲବର ପୂର୍ବତନ ସଭାପତି ଶ୍ରୀମତୀ ଦାଶଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ଦେଇ ‘ନାରୀ ଜାଗୃତି ସେବା ସମ୍ମାନ’ ରେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ କବି ଓ ସାହିତ୍ୟିକ ଯୋଗଦାନ କରିଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.