କାୟାକଳ୍ପ ପାଇଁ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟଦଳର ନିରୀକ୍ଷଣ

ଆଠଗଡ଼: କାୟାକଳ୍ପ ନିର୍ଦ୍ଧାରଣ ପାଇଁ ଜିଲ୍ଲାସ୍ତରୀୟ ଡାକ୍ତରୀ ଦଳ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଟକ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ଚିକିତ୍ସା ଅଧିକାରୀ ଡାକ୍ତର ମମତା ମହାପାତ୍ର, ଜିଲ୍ଲା ଗୁଣାତ୍ମକ ପ୍ରବନ୍ଧକ ସହାୟିକା ଇତିଶ୍ରୀ ମିଶ୍ର, ଅଧିକାରୀ ଲୋକନାଥ ପାତ୍ର, ବ୍ରହ୍ମପୁର ସିଏଚସି ବ୍ଲକ ଯୋଜନା ସଂଯୋଜିକା ପୁଷ୍ପମିତ୍ରା ଦାସଙ୍କ ସମେତ ଅନ୍ୟମାନେ କନ୍ଦରପୁର, ଖୁଣ୍ଟକଟା, କୁଲାଇଲୋ, ଜେନାପଦା ଓ ଜୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଲୋକମାନଙ୍କୁ ନିଶୁଳ୍କ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କିପରି ପ୍ରଦାନ କରାଯାଉଛି ଏବଂ ଲୋକମାନେ ଏଥିରେ କିଭଳି ଉପକୃତ ହେଉଛନ୍ତି ସେ ସଂପର୍କରେ ଏହି ସ୍ୱାସ୍ଥ୍ୟ ଦଳ ପଚାରି ବୁଝିଥିଲେ।

ସବୁ ବର୍ଗର ରୋଗୀ ଏବଂ ଲୋକମାନଙ୍କୁ ସେବା ଦେବା ପାଇଁ ଆରୋଗ୍ୟ ଉପକେନ୍ଦ୍ର ଗୁଡିକୁ ନବକଳେବର କରାଯାଇ ସ୍ୱାସ୍ଥ୍ୟ ସେବା ସଂପର୍କୀତ ସଚେତନତା, ଔଷଧ ବଣ୍ଟନ ଓ ବିଭିନ୍ନ ସଂକ୍ରାମକ ରୋଗ ନିରାକରଣ ଲାଗି ସ୍ୱାସ୍ଥ୍ୟକର୍ମୀ ଓ ଆଶା କର୍ମୀଙ୍କୁ ତାଲିମ ଦିଆଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରମାନଙ୍କରେ ସ୍ୱାସ୍ଥ୍ୟସେବାର ସୁପରିଚାଳନା ନିମନ୍ତେ ଜନଆରୋଗ୍ୟ ସମିତି ଗଠନ କରାଯାଇଥିବା ଉକ୍ତ ସ୍ୱାସ୍ଥ୍ୟ ଦଳକୁ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଅବଗତ କରାଇଥିଲେ। ଏହି ସ୍ୱାସ୍ଥ୍ୟ ଓ ଡାକ୍ତରୀଦଳ ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଭିତ୍ତିଭୂମି, ରେକର୍ଡ, କର୍ମଚାରୀଙ୍କ ସେବା ଓ ସ୍ୱାସ୍ଥ୍ୟସେବା ସଂପର୍କୀତ ଜ୍ଞାନ ଅନୁଧ୍ୟାନ କରିଥିଲେ। ସମସ୍ତ ଆରୋଗ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟ ପରିଦର୍ଶକ, ପରିଦର୍ଶିକା, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଆରୋଗ୍ୟ ଉପକେନ୍ଦ୍ରର ଡାକ୍ତରଙ୍କ ସମେତ ଅନ୍ୟକର୍ମଚାରୀଙ୍କୁ ସେମାନଙ୍କର ସେବା ଓ ଉପକେନ୍ଦ୍ରର କାୟାକଳ୍ପ ପାଇଁ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ଡାକ୍ତରୀଦଳ ପ୍ରଶଂସା କରିଥିଲେ।

Comments are closed.