କରୋନା ଆକ୍ରାନ୍ତଙ୍କ ସହ ମନ୍ତ୍ରୀଙ୍କର ଆଭାସୀ ଆଲୋଚନା

ଆଠଗଡ: କରୋନା ମହାମାରୀର ୨ୟ ପର୍ଯ୍ୟାୟରେ ଆଠଗଡ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଚିନ୍ତାର କାରଣ ହୋଇଛି। କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥାବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ବୁଝିବା ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଆକ୍ରାନ୍ତମାନଙ୍କ ସହ ରବିବାର ଓ ସୋମବାର ସିଧାସଳଖ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ଜାଣିବା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ଦଳ ବିଭିନ୍ନ ଆକ୍ରାନ୍ତଙ୍କ ପାଖକୁ ନିୟମିତ ପଠାଇ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବା ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବ୍ଲକ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ଅତ୍ୟନ୍ତ ଗରିବ ଶ୍ରେଣୀର ଆକ୍ରାନ୍ତଙ୍କ ଘରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସମସ୍ତ ଆକ୍ରାନ୍ତଙ୍କ ଘର ଓ ସେହି ଗ୍ରାମରେ ବିଜୁ ଛାତ୍ର ଜନତା ଦଳର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବିଶୋଧନ କରାଯାଇଥିଲା।

Comments are closed.