ସ୍ପଷ୍ଟ ଦିବାଲୋକରେ ବୃଦ୍ଧାଙ୍କ ବେକରୁ ସୁନାଚେନ୍‍ ଲୁଟ୍‍

ଆଠଗଡ: ଆଠଗଡ ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ୍‍, ଛିନତାଇ ଓ ରାହାଯାନୀ ବୃଦ୍ଧି ପାଉଥିବାରୁ ଏଠାରେ ସାଧାରଣ ଲୋକ ଏବେ ଅସୁରକ୍ଷିତ ମଣିବା ସହିତ ପୁଲିସ ଉପରୁ ଆସ୍ଥା ହରାଇଲେଣି। ମାତ୍ର ୩ ଦିନ ପୂର୍ବରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଷ୍ଟେଟ୍‍ ବ୍ୟାଙ୍କ ନିକଟରେ ୫୦ହଜାର ଟଙ୍କା ଲୁଟ ହେବା ପରେ ବୁଧବାର ସ୍ପଷ୍ଟ ଦିବାଲୋକରେ ହେମମାଳପୁର ନିକଟରେ ଜଣଙ୍କ ଘରେ ପଶି କଳା ପଲସରରେ ଆସିଥିବା ଦୁଇ ଜଣ ଦୁର୍ବୁତ ଜଣେ ବୃଦ୍ଧାଙ୍କ ବେକରୁ ୨ଭରି ଓଜନର ଏକ ସୁନାଚେନ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ହେମମାଳପୁର-ଦୋରଡ ମଧ୍ୟବର୍ତ୍ତୀ ୬୫ନଂ ରାଜ୍ୟ ରାଜପଥ କଡରେ ଘରକରି ରହୁଥିବା ସ୍ୱର୍ଗତ ପ୍ରହଲ୍ଲାଦ ସାହୁଙ୍କ ପତ୍ନୀ ଧୋବି ବେୱା ନିଜ ଘର ପଛପଟରେ ମାଛ ବାଛୁଥିବାବେଳେ ଦୁଇ ଦୁର୍ବୁତ ତାଙ୍କୁ ପ୍ରଥମେ ହାତ ଧୋଇବାକୁ ପାଣି ମାଗିବା ଏବଂ ସେ ପାଣି ଦେବା ବେଳକୁ ତାଙ୍କ ବେକରୁ ୨ଭରି ଓଜନର ସୁନାଚେନ୍‍ଟିକୁ ଭିଡନେବା ସହ ତାଙ୍କୁ ଠେଲି ଦେବାରୁ ସେ ତଳେ କଚାଡି ହୋଇ ପଡିଥିଲେ।

ବୃଦ୍ଧାଙ୍କ ପାଟି ଶୁଣି ଘରଲୋକ ପଦାକୁ ଆସିବା ବେଳକୁ ୨ଜଣ ଦୁର୍ବୁତ ବାଇକ ଧରି ଦୋରଡ ଆଡକୁ ଦ୍ରୁତଗତିରେ ଚାଲିଯାଉଥିବା ଦେଖିଥିଲେ। ଏ ସଂପର୍କରେ ଲୁଟ୍‍ର ଶିକାର ହୋଇଥିବା ବୟଜ୍ୟେଷ୍ଠ ମହିଳା ଧୋବି ବେୱା ଆଠଗଡ ଥାନାରେ ଏକ ଲିଖିତ ଏତଲା ଦେବା ପରେ ଆଇଆଇସି ବାମଦେବ ସ୍ୱାଇଁ ଓ ଅନ୍ୟ ପୁଲିସ ଅଧିକାରୀ ଦୁର୍ବୁତଙ୍କୁ ଧରିବା ପାଇଁ ତନାଘନା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହାଁନ୍ତି। ସେ ଅଞ୍ଚଳରେ ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ରେକର୍ଡିଂ ଯାଞ୍ଚ କରାଯାଉଛି ଏବଂ ଖୁବ୍‍ ଶୀଘ୍ର ଲୁଟିଆଙ୍କୁ ଧରାଯିବ ବୋଲି ଆଇଆଇସି ଶ୍ରୀ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.