ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା ଅଭିଯାନ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଗୁରୁବାର କଟକିଆ ସାହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ (ସୁମନ) ଅଭିଯାନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍ ସୁମନ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ ଅଭିଯାନ ରାଜ୍ୟ ସରକାରଙ୍କର ନିଜସ୍ୱ ଏକ ଯୋଜନା ଏବଂ ଏହି ଯୋଜନା ସୁରକ୍ଷିତ ମାତୃତ୍ୱ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ଏବଂ ସୁରକ୍ଷିତ ପ୍ରସବ ପାଇଁ ପ୍ରଣିତ ଏହି ଯୋଜନା ଏକ ଅଭିନବ ପ୍ରୟାସ ବୋଲି ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା କଟକିଆସାହି ସରପଞ୍ଚ ନରେନ୍ଦ୍ର କୁମାର ସ୍ୱାଇଁ ପ୍ରକାଶ କରିଥିଲେ।

 

ଏହି ଯୋଜନାରେ ଗର୍ଭବତୀ ମହିଳାମାନେ ଅତିକମରେ ୪ଥର ମାଗଣାରେ ଆମ୍ବୁଲାନ୍ସ ସେବା ପାଇବା ସହିତ ଅଲଟ୍ରାସାଉଣ୍ଡ ସେବା, ସାଧାରଣ ବା ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ପାଇଁ ସମସ୍ତ ପରୀକ୍ଷା, ଗର୍ଭାବସ୍ଥାରୁ ପ୍ରସବର ୬ମାସ ପର୍ଯ୍ୟନ୍ତ ଔଷଧ ପ୍ରଦାନ ଏବଂ ଜନ୍ମିତ ଶିଶୁମାନଙ୍କ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ଔଷଧ ଓ ଚିକିତ୍ସା ନିଶୁଳ୍କ ଯୋଗାଇ ଦିଆଯିବ ବୋଲି ଶ୍ରୀ ଅସ୍ଲମ୍ ସୂଚନା ଦେଇଥିଲେ। ଗର୍ଭବତୀ, ପ୍ରସୂତୀ ଓ ନବଜାତକ ସ୍ୱାସ୍ଥ୍ୟସେବା ପାଇଁ ନିଶୁଳ୍କ ଦୂରଭାଷ ୧୦୪କୁ ଯୋଗାଯୋଗ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଏହି ସେବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଗୁଡିକରେ ବିନା ମୂଲ୍ୟରେ ଉପଲବ୍ଧ। ଅଧିକ ସେବା ଓ ସଚେତନତା ପାଇଁ ଗ୍ରାମର ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଅଥବା ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ସତ୍ୟଭାମା ଦେଈ, ଆଶାକର୍ମୀ ପ୍ରତିମା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେବା ସହ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Comments are closed.