ରେଙ୍ଗାଲି କେନାଲରୁ ଭୂତଳ ପାଇପ ଦ୍ୱାରା ଜଳସେଚନ ପାଇଁ କ୍ୟାବିନେଟ୍‍ ମଞ୍ଜୁରୀ

ଆଠଗଡ: ରେଙ୍ଗାଲି ଦକ୍ଷିଣ କେନାଲରୁ ଭୂତଳ ପାଇପ ଦ୍ୱାରା ପ୍ରତି ଜମିକୁ ଜଳସେଚନ ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିବା ସହ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୩୯୫.୭୩ ଏବଂ ଜିଏସଟି ସହ ୪୪୩.୨୨କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ମଧ୍ୟ ଅନୁମୋଦିତ ହୋଇଥିବା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।ଏହି ଅର୍ଥ ସଂପୂର୍ଣ୍ଣ ରୂପେ ରାଜ୍ୟସରକାରଙ୍କ ନିଜସ୍ୱ ପାଣ୍ଠିକୁ ଯୋଗାଇ ଦିଆଯିବ ଏବଂ ଏହାର ନିର୍ମାଣ କାର୍ଯ୍ୟ ଏଲ୍‍ ଆଣ୍ଟ ଟି କମ୍ପାନୀକୁ ଦିଆଯାଇଥିବାବେଳେ ୨ବର୍ଷ ମଧ୍ୟରେ ଅର୍ଥାତ୍‍ ୨୦୨୩ଡିସେମ୍ବର ସୁଦ୍ଧା ଏହା ସଂପୂର୍ଣ୍ଣ ହେବ।

ଆଠଗଡ ଉପଜିଲ୍ଲାପାଳଙ୍କ ସଭାଗୃହରେ ଅପରାହ୍ନ ୧ଟାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଠଗଡ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ବଡମ୍ବା ବିଧାୟକ ଶ୍ରୀ ମିଶ୍ର ଏହି ଭୂତଳ ପାଇପ ଯୋଗେ ଜଳସେଚନ ପ୍ରଣାଳି ଦ୍ୱାରା ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ, ଜଳ କ୍ଷରଣ ବା ଅପଚୟ ହେବ ନାହିଁ। ପ୍ରବାହ ଜନିତ କ୍ଷତି ଏଡାଇ ଦେଇହେବ, ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମିବ ଏବଂ ସର୍ବୋପରି ପ୍ରତ୍ୟେକ ଚାଷୀ ନିଜ ଜମିକୁ ପାଇପ ଯୋଗେ ଜଳସେଚନ ପାଇପାରିବେ ବୋଲି ପ୍ରକାଶ କରିଥିଲେ। ଏହି ପାଇପ ଯୋଗେ ଜଳ ଯୋଗାଣ ପ୍ରଣାଳି ପାଇଁ ଆଠଗଡ-ତିଗିରିଆ ଅଞ୍ଚଳରେ ୧୯୮କୋଟି ଟଙ୍କା ଓ ବଡମ୍ବାରେ ୧୧୨କୋଟି ଟଙ୍କା ବ୍ୟୟ କରାଯିବ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଠଗଡର ୧୨୬୯୬ ହେକ୍ଟର, ତିଗିରିଆର ୯୪୦୬ ଏବଂ ବଡମ୍ବାର ୮୧୦୭ହେକ୍ଟର ଜମି ଏହି ଭୂତଳ ପାଇପ ଜଳସେଚନ ଦ୍ୱାରା ଜଳସେଚିତ ହେବ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଏହା ବିସ୍ତାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ବିଧାୟକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

୧୯୭୮ ମସିହାରେ କାର୍ଯ୍ୟାରମ୍ଭ ହୋଇଥିବା ଏହି ରେଙ୍ଗାଲି ଦକ୍ଷିଣ କେନାଲ ଦ୍ୱାରା ଜଳସେଚନର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି ଏବଂ ଏହାଦ୍ୱାରା ଆଠଗଡ, ତିଗିରିଆ ଓ ବଡମ୍ବା ଅଞ୍ଚଳର ଲକ୍ଷାଧିକ ଚାଷୀ ଉପକୃତ ହେବେ। ଏହି ଜଳସେଚନ ଦ୍ୱାରା ଚାଷରେ ଉନ୍ନତି, କୃଷି ଉତ୍ପାଦନ ବୃଦ୍ଧି ହେବା ଫଳରେ ଚାଷୀ, ମେହନତି କୃଷି ଶ୍ରମିକଙ୍କ ହାତକୁ କାମ ଓ ରୋଜଗାର ମିଳିବ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ବେକାରୀ ଦୂରୀକରଣରେ ସହାୟକ ହେବ ବୋଲି ଦୁଇ ବିଧାୟକ ପ୍ରକାଶ କରିଥିଲେ। ଏହି ଭୂତଳ ପାଇପ ଜଳସେଚନ ପ୍ରଣାଳୀ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାରୁ ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳିବାସୀଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ନେତା କୃତଜ୍ଞତା ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।

Comments are closed.