ଜୋରଦାର ଅବକାରୀ ଚଢାଉ, ୩ ହଜାର ଲିଟର ମଦ ଓ ୧୫ ହଜାର ଲିଟର ପୋଚ ଜବତ

ଆଠଗଡ: ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଆବାହମାନ କାଳରୁ ଚାଲିଆସୁଥିବା ମଦପ୍ରସ୍ତୁତି ଆଡ୍ଡା ଉପରେ ଅବକାରୀ ବିଭାଗର ଜୋରଦାର ଚଢାଉ କରାଯାଇଥିବା ଜଣାପଡିଛି। କଟକ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଆଠଗଡ ଅବକାରୀ ବିଭାଗ, ଜିଲ୍ଲା ଅବକାରୀ ପ୍ଲାଇଙ୍ଗ୍‍ ସ୍କାର୍ଡ ଓ ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଏବଂ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡାର ପଣସପାଟଣା ଗ୍ରାମରେ ମିଳିତ ଚଢାଉ କରାଯାଇଥିଲା।

ଅବକାରୀ ଫ୍ଲାଇଙ୍ଗ୍‍ ସ୍କାର୍ଡ ଅଧିକ୍ଷକ ଦେବାଶିଷ ପଟେଲ ଓ ଆଠଗଡ ଅବକାରୀ ନିରୀକ୍ଷଣ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ପ୍ରଥମେ ତିଗିରିଆ ଥାନା ଅଧିନ ଭିରୁଡା ପଞ୍ଚାୟତର ପଣସପାଟଣା ଗ୍ରାମରେ ଏବଂ ପରେ ପରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଚଢାଉ ବେଳେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୩୦୦୦ଲିଟର ଦେଶୀମଦ ଏବଂ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୧୫୦୦୦ଲିଟର ଗୁଡପୋଚ ଜବତ କରାଯାଇଥିଲା। ଏହି ଦୁଇଟି ସ୍ଥାନରେ ୯ଟି ମାମଲା ରୁଜୁ କରାଯାଇଥିବାବେଳେ ସେଥିମଧ୍ୟରୁ ୮ଟିରେ ମଦମାଫିଆଙ୍କ ଫେରାର ମାମଲା ରୁଜୁ କରାଯାଇଛି। ଆଠଗଡ ଅବକାରୀ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ ଏବଂ ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁସଂଖ୍ୟକ ଅଧିକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.