ଅଦିନିଆ ବର୍ଷାରେ ବ୍ୟାପକ ଫସଲହାନୀ, ଚାଷୀ ମୁଣ୍ଡରେ ଚଡକ

ଆଠଗଡ: ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରି ବର୍ଷ ଯାକର ଆହାର ଓ ଖର୍ଚ୍ଚବାର୍ଚ୍ଚ ପାଇଁ ଚାହିଁ ବସିଥିବା ଚାଷୀକୂଳ ଦୁଇଦିନ ଧରି ଅଦିନିଆ ବର୍ଷାରେ ନିଜର ଅମଳକ୍ଷମ ଧାନ ଫସଲ ଓ ପନିପରିବା ଫସଲ ଚାଷଜମିରେ ଲୋଟି ପଡିଥିବା ଦେଖି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସାମୁଦ୍ରିକ ବାତ୍ୟା ଜୱାଦ୍‍ ଦୁର୍ବଳ ହୋଇଥିଲେ ସୁଦ୍ଧା ଏହାର ପ୍ରଭାବରେ ଆଠଗଡ ଅଞ୍ଚଳରେ ଶନିବାର ଓ ରବିବାର ୨ଦିନ ଧରି ଲଗାଦାର ଝିପିଝିପି ବର୍ଷା ହେବା ଫଳରେ ବ୍ୟାପକ ଫସଲ ହାନି ଚାଷୀମୁଣ୍ଡରେ ଚଡକ ପକାଇଛି। ଆଠଗଡ ବ୍ଲକ ଅଞ୍ଚଳରେ ଏବେବି ଅଧାରୁ ଅଧିକ ଚାଷଜମିରେ ଧାନଫସଲ କଟା ହୋଇନଥିଲା। ଆଉକେତେକ ଚାଷୀ ଧାନକାଟି ଅମଳ ପାଇଁ ଖଳାରେ ଓ ଚାଷଜମିରେ ଗଦାକରି ରଖିଥିଲେ। ପାରୁ ପର୍ଯ୍ୟନ୍ତ କଟାଯାଇଥିବା ଧାନକୁ ଉଠାଇ ଆଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରଖିବା ପାଇଁ ସ୍ଥାନାଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।

ଆଠଗଡର ଭାତହାଣ୍ଡି କୁହାଯାଉଥିବା ନବେଢା ଅଞ୍ଚଳର ଗୁରୁଡିଝାଟିଆ, ଛଅଗାଁ, ଗୋବରା ଓ କୁମାରପୁର ଆଦି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ପାଚିଲା ଧାନ ଫସଲ ଏହି ବର୍ଷାରେ ଜମିରେ ଲୋଟି ପଡିଥିବା ଓ ପାଣିରେ ବୁଡି ରହିଥିବାରୁ ବହୁ କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ସଠିଲୋ, ସମସରପୁର, ଜେନାପଦା, ବଡଭୂଇଁ, ବେଣ୍ଟପଦା, ରାଜନଗର, ତରଡିଙ୍ଗ, ଦୋରଡ, ଯୋରନ୍ଦା, ମେଘା, କଟକିଆସାହି, ମହାକାଳବସ୍ତ ଆଦି ପଞ୍ଚାୟତ ଗୁଡିକରେ ଧାନ ଫସଲ ବ୍ୟତୀତ ବ୍ୟାପକ ପନିପରିବା ଚାଷ କରାଯାଇଥିଲା। ଏହି ଅଦିନିଆ ବର୍ଷାରେ ଶୀତଦିନିଆ ପରିବା ଫସଲ ଶଢିଯିବା ଓ ରୋଗପୋକ ଧରିବାର ଆଶଙ୍କାରେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ଚାଷୀକୂଳ। ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ। ବର୍ଷା ଛାଡିବା ପରେ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଆସିବା ମାତ୍ରେ ଆଠଗଡ ବ୍ଲକ ସମେତ ସମଗ୍ର ଉପଖଣ୍ଡରେ ଏହି ଅଦିନିଆ ବର୍ଷା ଦ୍ୱାରା କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.