ଆଠଗଡରେ ରକ୍ତଦାନ ଏକ ଆନ୍ଦୋଳନରେ ପରିଣତ ହୋଇଛି

ଆଠଗଡ: ଆଠଗଡରେ ଏବେ ରକ୍ତଦାନ ଅଭିଯାନ ଏକ ଆନ୍ଦୋଳନର ରୂପ ନେଇଛି। ୨୦୦୨ମସିହା ପୂର୍ବରୁ ଆଠଗଡରେ ରକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ଜରୁରୀକାଳିନ ଚିକିତ୍ସା ସମୟରେ ରକ୍ତର ଅଭାବ ଯୋଗୁଁ କେତେକ ରୋଗୀ ଓ ଗୁରୁତର ଆହତ ମୃତ୍ୟୁବରଣ କରିବାର ଅନେକ ନଜିର ରହିଛି। ସେ ସମୟରେ ଆଠଗଡ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଜରୁରୀକାଳିନ ଆବଶ୍ୟକତା ସମୟରେ କିପରି ରକ୍ତର ଅଭାବ ନହେବ ସେଥିଲାଗି ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାଜୁଏଟ୍ସ କ୍ଲବ ସଂକଳ୍ପ ନେଇଥିଲେ।

୨୦୦୨ମସିହାରେ ପ୍ରଥମ କରି ଅକ୍ଟୋବର ୨ତାରିଖ ଗାନ୍ଧୀଜୟନ୍ତୀ ଦିନ ପ୍ରଥମ କରି ଗ୍ରାଜୁଏଟ୍ସ କ୍ଲବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଆଠଗଡ ଅଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି କ୍ଲବ ପକ୍ଷରୁ ସଂକଳ୍ପ କରାଯାଇଥିଲା। ସେହି ୨୦୦୨ ମସିହାଠାରୁ ଅଧ୍ୟାବଧି ୧୮ବର୍ଷ ହେବ କ୍ଲବ ପକ୍ଷରୁ ପ୍ରତିବର୍ଷ ଗାନ୍ଧୀଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ଆଠଗଡ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ କିବା କ୍ଲବ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଫଳ ସ୍ୱରୂପ ଆଠଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଅନେକ ଅନୁଷ୍ଠାନ ଧିରେଧିରେ ରକ୍ତଦାନ ଶିବିର ଆୟୋଜନ କରିବା ଆରମ୍ଭ କରିଥିଲେ। ଯାହା ଏବେ ଏକ ଆନ୍ଦୋଳନର ରୂପ ନେଇଛି। ଏହି ରକ୍ତଦାନ ଅଭିଯାନକୁ ଆନ୍ଦୋଳନର ରୂପ ଦେବାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ଆଠଗଡ ବ୍ଲକ ଅଞ୍ଚଳରୁ ପ୍ରତ୍ୟେକ ବର୍ଷ ଅତିକମରେ ୧୫୦୦ରୁ ୨୦୦୦ୟୁନିଟ୍ ରକ୍ତ ସଂଗୃହୀତ ହୋଇପାରୁଛି।

ଚଳିତ ବର୍ଷ ଅକ୍ଟୋବର ୨ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଠଗଡ ବିଜେଡି ଆଉ ପାଦେ ଆଗକୁ ଯାଇ ସେପ୍ଟେମ୍ବର ୧ତାରିଖରୁ ନଭେମ୍ବର ୨ତାରିଖ ଯାଏଁ ଆଠଗଡ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୧୮ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୨୫୩୨ୟୁନିଟ ରକ୍ତ ସଂଗ୍ରହ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ବିଜେଡି ଛଡା ଅନ୍ୟ କେତେକ ଅନୁଷ୍ଠାନ ମଧ୍ୟ ଏହି ସମୟରେ ରକ୍ତଦାନ ଶିବିରମାନ ଆୟୋଜନ କରି ଆହୁରି ପ୍ରାୟ ୨୦୦ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି। କଟକସ୍ଥିତ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତରୀ ଦଳ ଆସି ରକ୍ତ ସଂଗ୍ରହ କରି ନେଇଛନ୍ତି। ଆଠଗଡ ଡାକ୍ତରଖାନାରେ ରକ୍ତ ସଂଗ୍ରହ କରାଯାଉନଥିଲେ ମଧ୍ୟ କଟକସ୍ଥିତ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଏଠାରେ ସଂରକ୍ଷିତ ରଖି ରୋଗୀମାନଙ୍କୁ ଆବଶ୍ୟକ ସମୟରେ ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଏହି ରକ୍ତଦାନ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଆଠଗଡ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ଆବାହକ ରାକେଶ ଦାଶ ଏବଂ ଗ୍ରାଜୁଏଟ୍ସ କ୍ଲବର କାର୍ଯ୍ୟକ୍ରମ ସଂଯୋଜକ ସୁଧିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Comments are closed.