ଅଦିନିଆ ବର୍ଷା, ଫସଲ ହାନୀ ଚିନ୍ତାରେ ଚାଷୀ

ଆଠଗଡ: ସାମୁଦ୍ରିକ ବାତ୍ୟା ଜୱାଦ୍ ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ଆଠଗଡ ଅଞ୍ଚଳରେ ତୁହାକୁ ତୁହା ଝିପିଝିପି ବର୍ଷା ଲାଗି ରହିଛି। ପାଚିଲା ଧାନ ଖେତରୁ କାଟିନଥିବା ଚାଷୀ ଏବଂ ଶୀତଦିନିଆ ପରିବା ଫସଲ କରିଥିବା ଚାଷୀ ଏହି ଅଦିନିଆ ବର୍ଷା ଯୋଗୁଁ ଫସଲ ହାନୀ ଚିନ୍ତାରେ ମ୍ରିୟମାଣ ହୋଇପଡିଛନ୍ତି। ଆଠଗଡ ବ୍ଲକ ଅଞ୍ଚଳରେ ଏବେବି ୫୦ପ୍ରତିଶତରୁ ଉର୍ଦ୍ଧ ଜମିରୁ ଅମଳକ୍ଷମ ପାଚିଲା ଧାନ କଟା ହୋଇନାହିଁ। ଏବେ ଏହି ଅଦିନିଆ ବର୍ଷାରେ ପାଚିଲା ଧାନଗଛ ବିଲରେ ଲୋଟି ପଡିଥିବାବେଳେ ଆସନ୍ତା ରବିବାର ହେବାକୁ ଥିବା ବର୍ଷାରେ ବାକି ରହିଥିବା ପାଚିଲା ଧାନ ଝଡିବା ଓ ପାଣିରେ ଭିଜି ନଷ୍ଟହେବା ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ଆଠଗଡ ଅଞ୍ଚଳର ପ୍ରାୟ ୧୨ଟି ପଞ୍ଚାୟତରେ ବ୍ୟାପକ ଶୀତଦିନିଆ ଫସଲ ଓ ପନିପରିବା ଚାଷ କରାଯାଇଥିବାବେଳେ ସେଗୁଡିକ ମଧ୍ୟ ଏହି ଅଦିନିଆ ବର୍ଷାରେ ଉଜୁଡିଯିବା ଆଶଙ୍କାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସାମୁଦ୍ରିକ ବାତ୍ୟା ଓ ତାର ପ୍ରଭାବରେ ବର୍ଷା ହେବ ବୋଲି ପୂର୍ବସୂଚନା ମିଳିବା ପରେ ଅନେକ ଚାଷୀ ତରବରିଆ ଭାବେ ଠିକ୍ ଭାବରେ ପରିପକ୍ୱ ହୋଇନଥିବା ଫୁଲକୋବି ଓ ବନ୍ଧାକୋବି କାଟିଆଣି ଯଥେଷ୍ଟକମ୍ ଦରରେ ବିକିବାକୁ ବାଧ୍ୟ ହୋଇଛନ୍ତି। ଏହି ଅଦିନିଆ ବର୍ଷା ଦ୍ୱାରା ଆଠଗଡ ବ୍ଲକ ଅଞ୍ଚଳର ଜେନାପଦା, ବଡଭୂଇଁ, ଇଚ୍ଛାପୁର, ସମସରପୁର, ସଠିଲୋ, ମହାକାଳବସ୍ତ, ତରଡିଙ୍ଗ, ଯୋରନ୍ଦା, ବେଣ୍ଟପଦା, ରାଜନଗର, କଟକିଆସାହି ଆଦି ପଞ୍ଚାୟତରେ ଶୀତଦିନିଆ ପରିବା ଫସଲ ବିଶେଷକରି ଫୁଲକୋବି, ବନ୍ଧାକୋବି, ଟମାଟୋ, ବାଇଗଣ, ବିନ୍, ବିଭିନ୍ନ ଶାଗ, ଆଦିରେ ପୋକଲାଗିବା ଓ ବର୍ଷାଜଳରେ ଷଢିବା ଆଶଙ୍କା ସୃଷ୍ଟି ହୋଇଛି।

ଏହି ସବୁ ପଞ୍ଚାୟତଗୁଡିକରେ ଚାଷୀମାନେ ସେମାନଙ୍କର ବର୍ଷ ଯାକର ଖର୍ଚ୍ଚବାର୍ଚ ପରିବା ଫସଲରୁ ଉପାର୍ଜନ କରିଥାନ୍ତି। ସେହିପରି ଧାନଫସଲ ସେମାନଙ୍କର ବର୍ଷଯାକର ଆହାର ସହିତ ବଳକାକୁ ବିକ୍ରୟ କରି ବର୍ଷତମାମ ସେଥିରେ ଚଳିଥାନ୍ତି। ଏବେ ଏହି ଅଦିନିଆ ବର୍ଷା ଫଳରେ ସେମାନଙ୍କର ଫସଲହାନୀ ଆଶଙ୍କାରେ ଚାଷୀକୂଳ ଚିନ୍ତାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଅଦିନିଆ ବର୍ଷା ପରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କର କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ପଦକ୍ଷେପ ନେବା ପାଇଁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।

Comments are closed.