କୋଭିଡ କଟକଣା କଡାକଡି ପାଳନ ପାଇଁ ନିଷ୍ପତ୍ତି

ଆଠଗଡ: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ଦୃଷ୍ଟିରୁ ସରକାର ଜାରି କରିଥିବା କଟକଣାକୁ କଡାକଡି ପାଳନ କରିବା ଏବଂ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଠଗଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଠଗଡ ଉପଖଣ୍ଡରେ କୋଭିଡ ପରିଚାଳନାକୁ ନେଇ ଏକ ପ୍ରଶାସନିକ ବୈଠକ ଶୁକ୍ରବାର ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକ ଏବଂ ଆଠଗଡ ଏନଏସିର ସମସ୍ତ ଅଧିକାରୀ ଓ ବିଭିନ୍ନ ଥାନାର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରବାସୀମାନେ ଆଠଗଡ ଅଞ୍ଚଳକୁ ଆସିବା ପରେ ସେମାନଙ୍କୁ ବିଭିନ୍ନ ବ୍ଲକରେ କରାଯାଇଥିବା କ୍ଲଷ୍ଟର ସଙ୍ଗରୋଧ ଗୃହରେ ରଖାଯିବା ଏବଂ ସେମାନଙ୍କର କୋଭିଡ ପରୀକ୍ଷା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗୁରୁତର ସଂକ୍ରମିତଙ୍କୁ କଟକ ଜିଲ୍ଲାର କୋଭିଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯିବ ଏବଂ ଅନ୍ୟ ସଂକ୍ରମିତଙ୍କୁ ନିଜ ଘରେ ପୃଥକ ବାସରେ ରହି ଚିକିତ୍ସା କରାଇବା ଲାଗି ବ୍ୟବସ୍ଥା କରାଯାଇଛି। ବିଶେଷକରି କୋଭିଡ କଟକଣା ଅମାନ୍ୟ କରୁଥିବା ଲୋକ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାସ୍କ ପରିଧାନ କରୁନଥିବା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା, ରାତ୍ରିକାଳୀନ ସାନ୍ଧ୍ୟ ଆଇନ ସମୟରେ ବାହାରେ ବୁଲୁଥିବା ଏବଂ ସପ୍ତାହନ୍ତ ଲକ୍‍ଡାଉନ ସମୟରେ ବିନା ଜରୁରୀ କାମରେ ବାହାରେ ବୁଲୁଥିବା ଲୋକଙ୍କଠାରୁ ଜୋରିମନା ଆଦାୟ, ଦୋକାନ ସିଲ୍‍ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉପଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଜରୁରୀକାଳୀନ ସେବା ଦେଉଥିବା ଔଷଧ ଦୋକାନରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ନକରିବା ଓ ମାସ୍କ ପରିଧାନ କରିନଥିଲେ ଦୋକାନ ସିଲ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଠଗଡ ଏନଏସିରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ବ୍ଲକ ଅଞ୍ଚଳର ପାଟେଣିଗାଁ ଓ ଖୁଣ୍ଟୁଣୀଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ବା ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବାବେଳେ ଖୁବ୍‍ଶୀଘ୍ର ମାଧବପୁରସ୍ଥିତ ଜିମସାର କୋଭିଡ ଡାକ୍ତରଖାନା ଏବଂ ବଡମ୍ବାଠାରେ କୋଭିଡ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଯିବା ଲାଗି ପଦକ୍ଷେପ ନିଆଯାଉଛି। ସେହିପରି ତିଗିରିଆ, ବଡମ୍ବା, ନରସିଂହପୁର ଆଦି ୩ଟି ବ୍ଲକରେ ମଧ୍ୟ ୨ଟି ଲେଖାଏଁ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଏହି ବୈଠକରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ, ବଡମ୍ବା ତହସିଲଦାର ଦେବଦତ୍ତ ମହାନ୍ତ, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ଆଠଗଡ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର, ଗୁରୁଡିଝାଟିଆ ଆଇଆଇସି ସମୀର ପଣ୍ଡା, ତିଗିରିଆ ଓଆଇସି ରବିନ୍ଦ୍ର କୁମାର ଭୁଜବଳ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସଙ୍କ ସମେତ ସମସ୍ତ ବ୍ଲକ ଓ ତହସିଲର କର୍ମଚାରୀ ଏବଂ ସମସ୍ତ ଡାକ୍ତରଖାନାର ଡାକ୍ତର ଓ ଅନ୍ୟ କର୍ମଚାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.