ଲୁଚାଇଥିବା ହାତୀଦାନ୍ତ ପ୍ରଦର୍ଶନ ପାଇଁ ସାମ୍ବାଦିକ ସଂଘର ଦାବି

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗତ ୧୪ମାସ ପୂର୍ବରୁ ଶିକାର ହୋଇଥିବା ହାତୀର ଲୁଚାଇ ରଖାଯାଇଥିବା ଦାନ୍ତ ଦୁଇଟିକୁ ପ୍ରଦର୍ଶନ କରିବା ଲାଗି ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ ଗତ ୨୦୨୦ ଜୁଲାଇ ୨୭ତାରିଖରେ ଏକ ୧୦ବର୍ଷର ଦନ୍ତାହାତୀ ସୁବାସୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ଘଟଣାକୁ ଚପାଇ ଦେବାକୁ ଯାଇ ତତ୍କାଳୀନ ବନାଞ୍ଚଳ ଅଧିକାରୀ ଓ ଅନ୍ୟ ବନବିଭାଗ ଅଧିକାରୀ ରାତି ଅଧରେ ହାତୀର ଦାନ୍ତ ଦୁଇଟିକୁ କାଟି ରଖିବା ପରେ ତାକୁ ପୋତି ଦେଇଥିଲେ। ଏହି ଘଟଣାକୁ ଲୁଚାଇବାକୁ ଯାଇ ଆଠଗଡ ବନାଞ୍ଚଳ ଅଧିକାରୀ ଆୟେଶା ଅଖତରୀ ନିଶା ହାତୀଦାନ୍ତ ଦୁଇଟିକୁ ବନଖଣ୍ଡ କାର୍ଯ୍ୟାଳୟକୁ ହସ୍ତାନ୍ତର ନକରି ନିଜ ଆବାସିକ କାର୍ଯ୍ୟାଳୟରେ ଲୁଚାଇ ରଖିଥିଲେ। ତେବେ ଏହି ଘଟଣା ଗତ ମାସରେ ଏକ ଭିଡିଓ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଥିଲା।

ଘଟଣା ସଂପର୍କରେ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବ ଅନୁଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଅବଗତ କରାଇଥିଲେ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅକ୍ଷୟ କୁମାର ପଟ୍ଟନାୟକ ଆଠଗଡ ଆସି ଘଟଣା ସଂପର୍କରେ ନିଜେ ତଦନ୍ତ କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ମୃତ ୧୦ବର୍ଷୀୟ ଦନ୍ତାହାତୀର ୪୫୦ଗ୍ରାମ ଓ ୫୫୦ଗ୍ରାମ ଓଜନ ବିଶିଷ୍ଟ ଦୁଇଟି ଦାନ୍ତ ନିଜ ଆବାସିକ କାର୍ଯ୍ୟାଳୟରୁ ଆଣି ବନଖଣ୍ଡ କାର୍ଯ୍ୟାଳୟରେ ଜମା କରିଥିଲେ। ତେବେ ହାତୀଦାନ୍ତ ଦୁଇଟିକୁ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ ସତ୍ତେ୍ୱ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇ ନଥିଲେ। ଏବେ ହାତୀଦାନ୍ତ ଦୁଇଟି ଅଛି ନା ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଜନସାଧାରଣ ଓ ପରିବେଶବିତଙ୍କ ସନ୍ଦେହ ଦୂର ପାଇଁ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ହାତୀଦାନ୍ତ ଦୁଇଟିକୁ ସାତ ଦିନ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦର୍ଶନ କରି ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ସଂପର୍କୀତ ଏକ ସ୍ମାରକପତ୍ର ଆଠଗଡ ସହକାରୀ ବନସଂରକ୍ଷକ ହରେକୃଷ୍ଣ ମଲ୍ଲିକଙ୍କୁ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସମେତ ସଂପାଦକ ସନ୍ତୋଷ ବାରିକ, କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲଲାଟେନ୍ଦୁ ସେନାପତି, ସଭ୍ୟ ସର୍ବେଶ୍ୱର ପଣ୍ଡା ଓ ବିଜୟ ନାୟକ ପ୍ରମୁଖ ପ୍ରଦାନ କରିଥିଲେ। ସାତ ଦିନ ମଧ୍ୟରେ ହାତୀଦାନ୍ତ ପ୍ରଦର୍ଶନ କରାନଗଲେ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଚେତାଇ ଦିଆଯାଇଛି।

Comments are closed.