ସମ୍ଭାବ୍ୟ ବାତ୍ୟା ଜୱାଦ୍ ମୁକାବିଲା ପାଇଁ ପ୍ରସ୍ତୁତି

ଆଠଗଡ: ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ଜୱାଦ୍ର ମୁକାବିଲା ପାଇଁ ଆଠଗଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଆଭାସୀ ବୈଠକରେ ଯୋଗଦେଇ କଟକ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ସାମୁଦ୍ରିକ ବାତ୍ୟାର ପ୍ରଭାବ ଆଠଗଡ ଉପଖଣ୍ଡରେ ସେତେଟା ଜୋର୍ ହେବାର ନଥଲେ ମଧ୍ୟ ଯେ କୌଣସି ପ୍ରତିକୂଳ ପରିସ୍ଥିତର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ପରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ବୈଠକରେ ଯୋଗଦେଇଥିବା ରାଜସ୍ୱ ନିରୀକ୍ଷକ, ସୁପରଭାଇଜର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ନିଜ କର୍ମସ୍ଥଳୀ ନଛାଡି ସେଠାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆବଶ୍ୟକସ୍ଥଳେ ଚାଳଛପର ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଅଥବା ବିଦ୍ୟାଳୟ ଗୃହରେ ସେମାନଙ୍କୁ ଅସ୍ଥାୟୀ ଥଇଥାନ କରିବା ପରେ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ନୋଡାଲ ଅଧିକାରୀ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲ କର୍ତ୍ତୃପକ୍ଷଙ୍କୁ ଯଥେଷ୍ଟ ପରିମାଣର ପଲିଥିନ ରଖିବା ଏବଂ ଯୋଗାଣ ବିଭାଗକୁ ଚୁଡା, ଚିନି, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଆବଶ୍ୟକ ପଡିଲେ ଯୋଗଇବା ପାଇଁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସେହିପରି ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ଦେବା ଓ ସେମାନଙ୍କ କଥା ବୁଝିବା ପାଇଁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

Comments are closed.