ଗଞେଇ ଚୋରା କାରବାରରେ ଲିପ୍ତ ମହିଳାଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେଚୋରା ଗଞେଇ କାରବାରରେ ଲିପ୍ତ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଠଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏବଂ ସ୍ୱତନ୍ତ୍ର ଅଦାଲତର ବିଚାରପତି ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକଲକ୍ଷ ଟଙ୍କା ଜୋରିମନା ଦଣ୍ଡ ଶୁଣାଇଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ଯେ ଅଚଳକୋଟ ଗ୍ରାମର ସୁରେଶ ମାଝି ଗଞେଇ ଚୋରା କାରବାର କରୁଥିବା ଓ ମହଜୁଦ କରିଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଗତ ୨୦୧୯ ମସିହା ଜୁଲାଇ ୭ତାରିଖରେ ଆଠଗଡ଼ର ତତ୍କାଳୀନ ଅବକାରୀ ନିରୀକ୍ଷକ ସଂଜିତ ବାର୍ଲା ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସୁରେଶ ମାଝିଙ୍କ ଘର ପଛପଟ ଆମ୍ବ ତୋଟାରେ ଲୁଚାଇ ରଖାଯାଇଥିବା ୬କ୍ୱିଣ୍ଟାଲ ଗଞେଇ ଜବତ କରାଯାଇଥିଲା।

ତେବେ ଅଭିଯୁକ୍ତ ସୁରେଶ ମାଝି କୌଶଳକ୍ରମେ ଚଢ଼ାଉ ପୂର୍ବରୁ ଚମ୍ପଟ ମାରିଥିଲେ। ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ମାଝିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିର‘ କରାଯାଇଥିଲା। ଏନଡିପିଏସ ମାମଲା ନଂ ୩/୧୯ର ବିଚାର କରି ସମସ୍ତ ସାକ୍ଷ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ଧ୍ୟାରାଣୀଙ୍କୁ ସ୍ୱତନ୍ତ୍ର ଅଦାଲତର ବିଚାରପତି ଦୋଷୀ ସାବ୍ୟସ୍ତ କରି ସୋମବାର ତାଙ୍କ ରାୟ ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଅଦାଲତର ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ସନ୍ଧ୍ୟାରାଣୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକଲକ୍ଷ ଟଙ୍କା ଜୋରିମନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମନା ଏକଲକ୍ଷ ଟଙ୍କା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ବିଚାରପତି ଶ୍ରୀ ସାହୁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଦାଲତର ସରକାରୀ ଓକିଲ ପ୍ରସନ୍ନ କୁମାର ରାଉତ ମାମଲାଟିକୁ ପରିଚାଳନା କରୁଥିଲେ।

Comments are closed.