ଆଠଗଡ଼ରେ ୧୦ବର୍ଷର ମାଇହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଆଠଗଡ଼: ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ବାଲିପଦାର ଚାଷଜମି ମଧ୍ୟରେ ଏକ ୧୦ବର୍ଷର ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାତୀଟି ପ୍ରାୟ ୨/୩ଦିନ ପୂର୍ବରୁ ମରିଥିବା ତାର ଦୁର୍ଗନ୍ଧରୁ ଜଣାପଡ଼ୁଛି। ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୪କି.ମି ଦୂର ଏବଂ ରାଜନଗର ବନବିଭାଗ ବିଟ ଠାରୁ ମାତ୍ର ୧କି.ମି. ମଧ୍ୟରେ ହାତୀଟି ମରିପଡ଼ିଥିବା ବେଳେ ବନବିଭାଗ କିପରି ଜାଣିପାରିଲା ନାହିଁ ତାହା ସେମାନଙ୍କ କାର୍ଯ୍ୟଶୈଳୀକୁ ଇଙ୍ଗିତ କରୁଛି। ସ୍ଥାନୀୟ ଲୋକ ପାଚିଲା ଧାନକ୍ଷେତକୁ ମଙ୍ଗଳବାର ଅପରାହ୍ଣରେ ଧାନ କାଟିବାକୁ ଯାଇଥିବା ବେଳେ ହାତୀଟି ସେଠାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ବନବିଭାଗକୁ ସୂଚନା ଦେଇଥିଲେ।

ଖବରପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବ, ସହକାରୀ ବନସଂରକ୍ଷକ ହରେକୃଷ୍ଣ ମଲ୍ଲିକ, ଆଠଗଡ଼ ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର ପାଲ ସିଂମାଥୁର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲେ। କପିଳାସ ଅଞ୍ଚଳରୁ ଏକ ହାତୀଦଳ ୨/୩ଦିନ ପୂର୍ବରୁ ସେ ଅଞ୍ଚଳକୁ ପାଚିଲା ଧାନ ଖାଇବାକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ହାତୀଟି କିଭଳି ମୃତ୍ୟୁବରଣ କଲା କେହି କହିପାରୁନାହାଁନ୍ତି। ଘଟଣାସ୍ଥଳ ବାଲିପଦା ଗ୍ରାମର ଧାନକ୍ଷେତରେ ପ୍ରାଣୀଚିକିତ୍ସକ ଡାକ୍ତର ଅନୁସୂୟା ଗିତିକା ପହଞ୍ଚିଥଲେ ମଧ୍ୟ ଅନ୍ଧାର ହୋଇଯିବାରୁ ମୃତ ହାତୀର ବ୍ୟବଛେଦ କରାଯାଇପାରିନାହିଁ। ବୁଧବାର ସକାଳୁ ହାତୀଟିର ବ୍ୟବଛେଦ ପରେ ସେହିଠାରେ ପୋତିଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଯାଧବ ପ୍ରକାଶ କରିଛନ୍ତି। ବନବିଭାଗ କର୍ମଚାରୀ ମୃତ ହାତୀଟିକୁ ଜଗି ରହିଛନ୍ତି।

Comments are closed.