ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସହରାଞ୍ଚଳର ୧୮ଟି ୱାର୍ଡ ମଧ୍ୟରୁ ୮୦ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଶନିବାର ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଆଠଗଡ ସହରରେ କୌଣସି ଗରିବଗୁରୁବା ତଥା ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ବାସଗୃହ ପାଇବାରୁ ବଞ୍ଚିତ ହେବେନାହିଁ ବୋଲି ପ୍ରକାଶ କରିଥିଲେ। ସହରାଞ୍ଚଳର ସମସ୍ତ ୱାର୍ଡରେ ଅଧିକାଂଶ ଚାଳଛପର ବା ଟାଇଲ ଓ ଆଜବେଷ୍ଟସ୍‍ ଘର ଏବେ କଂକ୍ରିଟ୍‍ କୋଠାଘରରେ ରୂପାନ୍ତରିତ ହୋଇସାରିଛି। ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ବାସଗୃହ କାର୍ଯ୍ୟାଦେଶ ଆବଣ୍ଟନ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୁଶ୍ରୀ ରଚମାଳା ପ୍ରକାଶ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକ, ପୂର୍ବତନ କାଉନସିଲର ଲକ୍ଷ୍ମୀନାରାୟଣ ଭଞ୍ଜ, ରୁଦ୍ରଚରଣ ମହାନ୍ତି, ଶିଶିର ପ୍ରସାଦ ମାନସିଂହ, ସୁଧାଂଶୁ ଶେଖର ଦଳାଇ, ଶିବଶଙ୍କର ଜେନା, ସମବାୟବିତ୍‍ ଲଳିତେନ୍ଦୁ ସେନାପତି, ଯୁବସଂଗଠକ ପ୍ରଦୀପ୍ତ ଦାସ, ପ୍ରକାଶ ରାଉତ, ସମାଜସେବୀ ରଞ୍ଜିତା ଭକ୍ତା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ୮୦ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏନଏସିର ପ୍ରମୁଖ କିରାଣୀ ନିରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.