ଏନଏସି ପକ୍ଷରୁ ସଚେତନଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା

ଆଠଗଡ/ତିଗିରିଆ: ଆଠଗଡ ଏନଏସି ପକ୍ଷରୁ ମଙ୍ଗଳବାର ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ଉପରେ ଆଧାରିତ ସଚେତନଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରି ସୁନ୍ଦର ସୁନ୍ଦର ଚିତ୍ରାଙ୍କନ ଆଙ୍କିଥିଲେ। ପରେ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ହେମନ୍ତ କୁମାର ସାହୁ ପ୍ଲାଷ୍ଟିକ, ପଲିଥିନ ଏବଂ ଜରି ଜାତୀୟ ପଦାର୍ଥ କିପରି ଆମ ପରିବେଶକୁ ଦୂଷିତ କରୁଛି ଏବଂ ଏହା ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକକୁ ସଂପୂର୍ଣ୍ଣ ବର୍ଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏନଏସିର ସ୍ୱଚ୍ଛଭାରତ ସୁପରଭାଇଜର ଲଲାଟେନ୍ଦୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.