ପ୍ରସ୍ତାବିତ ପ୍ଲାଷ୍ଟିକ କାରଖାନାକୁ ମଥୁରାପୁରବାସୀଙ୍କ ବିରୋଧ

ଉପଜିଲ୍ଲାପାଳଙ୍କୁ ଦିଆଗଲା ସ୍ମାରକପତ୍ର ପ୍ରଦାନ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଭୋଗରା ପଞ୍ଚାୟତ ସନ୍ନ୍‍ିକଟ ମଥୁରାପୁର ଗ୍ରାମର ଜମିରେ ପ୍ରସ୍ତାବିତ ଏକ ପ୍ଲାଷ୍ଟିକ କାରଖାନାକୁ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ଏହାକୁ ବନ୍ଦ କରିବା ଲାଗି ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ମାଧ୍ୟମରେ ଦାବି କରିଛନ୍ତି। ସୁପ୍ରିମ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ କମ୍ପାନୀ ମଥୁରାପୁରରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜମି କ୍ରୟ କରିବା ସହ ଏହାର ମଧ୍ୟଭାଗରେ ରହିଥିବା କେତେକ ଲୋକଙ୍କ ବ୍ୟକ୍ତିଗତ ଜମିକୁ ମଧ୍ୟ ଆବଦ୍ଧ କରି ରଖିଛନ୍ତି। ଏହି ପ୍ଲାଷ୍ଟିକ କାରଖାନା ସେଠାରେ ହେଲେ ଅଞ୍ଚଳରେ ପ୍ରଦୁଷଣ ବଢିବ ଏବଂ ଏହା ଚାଷଜମିକୁ ପ୍ରଭାବିତ କରିବ ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ସେମାନଙ୍କର ଏଥିରେ ଫସଲହାନୀ ଘଟିବ ବୋଲି ଦର୍ଶାଇଛନ୍ତି। ଏଥି ସହିତ ପ୍ଲାଷ୍ଟିକ କାରଖାନାରୁ ନିର୍ଗତ ଧୂଆଁ ଓ ବର୍ଜ୍ୟବସ୍ତୁ ହେତୁ ଗ୍ରାମବାସୀମାନେ ରୋଗାକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବରୁ ଭୋଗରା ମୌଜାର ବହୁ ଅନୁସୂଚିତ ଜାତି ପ୍ରଜାଙ୍କୁ ସରକାର ସେଠାରେ ଲିଜ୍‍ ଆକାରରେ ଜମି ପ୍ରଦାନ କରିଥିଲେ। ସେହି ଜମିକୁ କାରଖାନା କର୍ତ୍ତୃପକ୍ଷ କିପରି କ୍ରୟ କଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ମଥୁରାପୁରର ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ଭେଟି ମଥୁରାପୁର ନିକଟସ୍ଥ ଜମିରେ ପ୍ରସ୍ତାବିତ ପ୍ଲାଷ୍ଟିକ କାରଖାନା ନକରାଇ ଦେବା ପାଇଁ ଦାବି ଜଣାଇଛନ୍ତି। ଯଦି ସେମାନଙ୍କ ଦାବିକୁ କର୍ତ୍ତୃପକ୍ଷ ଉପେକ୍ଷା କରନ୍ତି ତେବେ ମଥୁରାପୁର ସମେତ ଭୋଗରା ଓ ଆଖପାଖ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.