ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିବସ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସୁଧାଂଶୁମୋହନପୁର ଠାରେ ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମ ଅନୁଯାୟୀ ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ତରଳ ଓ କଠିନ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ଓ ଏହାର ଉପକାର ସଂପର୍କରେ ଆଲୋକପାତ କରିଥିଲେ।

ବର୍ଜ୍ୟବସ୍ତୁ ୩ଟି ସୋପାନରେ ବିଭକ୍ତ କରି ପୃଥକୀକରଣ କରାଯିବା ଆବଶ୍ୟକ ଏହି ୩ଟି ସୋପାନ ମଧ୍ୟରୁ ପ୍ରଥମ ସୋପାନରେ ଓଦାଳିଆ ବର୍ଜବସ୍ତୁ ଯେପରିକି ଖାଦ୍ୟପଦାର୍ଥ, ୨ୟ ସୋପାନରେ ଶୁଖିଲା ବର୍ଜ୍ୟବସ୍ତୁ ଗଛ, ପତ୍ର, ଲଟା, ରୋଷେଇ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଯାହାକି ପୁନଃ କାର୍ଯ୍ୟରେ ଲାଗିପାରିବ ଏବଂ ତୃତୀୟ ସୋପାନରେ ଶୁଖିଲା ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପଲିଥିନ, କାଚ ଇତ୍ୟାଦି ରହିଛି। ଏହି ୩ଟି ସୋପାନର ବର୍ଜ୍ୟବସ୍ତୁକୁ ୩ଟି ଅଲଗା ଅଲଗା ଯାଗାରେ ପୃଥକୀକରଣ କରାଯିବା ଦରକାର ଓ ତାର ପରିଚାଳନା ପାଇଁ କଠିନ ବର୍ଜବସ୍ତୁକୁ ପ୍ରାକୃତିକ ପବନ ଓ ଜଳର ମିଶ୍ରଣରେ ଖତ ପ୍ରସ୍ତୁତି କରିହେବ ବୋଲି ଶ୍ରୀ ଅସଲମ କହିଥିଲେ। ଲୋକମାନଙ୍କ ମଧ୍ୟରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ସଚେତନ ସୃଷ୍ଟି କରିବା, ସୋକ୍‍ପିଟ୍‍, କମ୍ପୋଷ୍ଟ ପିଟ୍‍ ତିଆରି କରିବା ଓ ତାର ବ୍ୟବହାର ସଂପର୍କରେ ସେ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶାକର୍ମୀ ବନିତା ରାଉତ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.